
ବୁଗୁଡ଼ା : ବୁଗୁଡ଼ା ଥାନା ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟସ୍ଥ ଧାନ କିଆରୀରୁ ଏକ ଦନ୍ତା ହାତୀର ମୃତ ଦେହ ମିଳିବା ପରେ ଏହା ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ଘଟିଥିବା ନେଇ ସାଧାରଣରେ ଅନୁମାନ କରା ଯାଉଥିଲା ଯାହାକି ଆଜି ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ସତ ପ୍ରମାଣିତ ହୋଇଛି l ଆଜି ସକାଳେ ବୁଗୁଡ଼ା ପ୍ରାଣୀଧନ ଚିକିତ୍ସାଧିକାରୀ ଭଗବତୀ ପ୍ରସାଦ ଦାଶ ଘଟଣା ସ୍ଥଳରେ ପହଞ୍ଚି ବ୍ୟବଛେଦ କରିବା ପରେ ବିଦ୍ୟୁତ୍ ଆଘାତ କାରଣରୁ ହାତୀର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି l ଅନ୍ୟପକ୍ଷରେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ମୃତ୍ୟୁର କାରଣ ଆହୁରି ଜଣା ପଡ଼ିନଥିବା କହୁଥିବା ବେଳେ ଭୁବନେଶ୍ଵର ଫ୍ଲାଇଙ୍ଗ୍ ସ୍କାର୍ଡ଼ର ତିନି ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତଟିକୁ ଦେଖୁ ଦେଖୁ ଏହା ବିଦ୍ଯୁତ୍ ଆଘାତ ଜନିତ ମୃତ୍ୟୁ ବୋଲି ରୋକଠୋକ କହିଥିଲେ । ଏବେ ବିଦ୍ୟୁତ ତାର ବିଛାଇବା ସନ୍ଦେହରେ ବେଲପଡା ଗ୍ରାମରେ ୩ ଜଣକୁ ବନ ବିଭାଗ ଅଟକ ରଖି ପଚରା ଉଚରା କରୁଥିବା ଜଣା ପଡିଛି l ମୃତ ଅଣ୍ଡିରା ହାତୀର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ସ୍ଥାନୀୟ ବନ ବିଭାଗ ଅଧିକାରୀ କହିଥିଲା ବେଳେ ପ୍ରାଣୀଧନ ଅଧିକାରୀ ହାତୀଟିର ବୟସ ୧୦ରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି l ଦୀର୍ଘ ଦିନ ହେଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛା ଯିବା ଘଟଣା ନୁଆଁ ନୁହେଁ ପୂର୍ବରୁ ବାରହା ଫାସରେ ପଡି ଏକ କଲରା ପତରିଆ ବାଘର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକଙ୍କ ଜୀବନ ହାନି ହେଲାଣି l ବାଘୁଆ ନିକଟରେ ବିଦ୍ୟୁତ ଫାସରେ ଲାଗି ଗତ ବର୍ଷ ନଭେମ୍ବର ମାସରେ କହେଁଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ଼ଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରକାଶ ଗୌଡ଼ ଗୁରୁତର ଆହତ ହୋଇଥିଲା । ସେହିପରି ଗୌଡ଼ିଆ ବରୋଦା ପଞ୍ଚାୟତର ଗାନ୍ଧୀ ନଗର ଗ୍ରାମରେ ବିଦ୍ୟୁତ ଫାସରେ ଲାଗି ଗତ ବର୍ଷ ଡିସେମ୍ବର ମାସରେ ରଜନୀ ସ୍ବାଇଁ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା l ବିଦ୍ୟୁତ ଫାସ ପକାଇ ପ୍ରତିଦିନ ବାନ୍ୟଜନ୍ତୁ ଶିକାର ଚାଲିଥିଲେ ହେଁ ସ୍ଥାନୀୟ ବନ ବିଭାଗ ସବୁ ଜାଣି ମଧ୍ୟ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛି l କିଛି ଦିନ ତଳେ ବନ୍ୟ ଜନ୍ତୁ ମାଂସ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ହେଲେ ବନ ବିଭାଗ କାରସାଦି କରି ସେମାନଙ୍କୁ ଛାଡି ଦେଇଥିଲା l ତେବେ ସ୍ଥାନୀୟ ବନ ବିଭାଗର ଦାୟିତ୍ବହୀନତା ଯୋଗୁଁ ଏଭଳି ଅଘଟମାନ ବାରମ୍ବାର ଘଟୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାବ୍ଯକ୍ତ ସହ ସାଧାରଣରେ ବନ ବିଭାଗ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି