
ଫୁଲବାଣୀ (୧୭/୧୧) : ଖରିଫ୍ ବର୍ଷ- ୨୦୨୨-୨୩ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ଵରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଯେଉଁ ମଣ୍ଡିଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ିରହିଛି ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ କୁହାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ମଣ୍ଡି ଗୃହ ଗୁଡ଼ିକୁ ଏଭଳି ଭାବରେ ତିଆରି କରିବା ଦରକାର ଯେପରିକ ଧାନ କିଣା ପରେ ପରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମା’ ମାନଙ୍କ କାମରେ ଲାଗିପାରିବ । ଯଦି ଆବଶ୍ୟକ ପଡ଼େ ତେବେ ଅତିରିକ୍ତ ମିଲର୍ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗତବର୍ଷ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଧାନ କ୍ରୟ କରାଯାଇଥିଲେ ବି କେତେଗୁଡ଼ିଏ ଚାଷୀଙ୍କର ଧାନ ବିକ୍ରୟ ହୋଇପାରି ନାହିଁ। ସେଥୂପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସେହିପରି ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଲେ ଗତଥର ଚାଷୀମାନଙ୍କର ବିଶେଷକରି ଲଣ୍ଡାଗାଁ ଚାଷୀମାନଙ୍କର ଧାନ ବିକ୍ରୟ ନ ହୋଇ ରହିଯାଇଛି । ତେଣୁ ଜିଲ୍ଲାରେ ଆଉ ଜଣେ ମିଲର୍ଙ୍କର ଆବଶ୍ୟକତା ରହିଛି । ଲଣ୍ଡାଗାଁରେ ରବି ଫସଲ ପାଇଁ ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ କହିଥିଲେ । ବେସାମରିକ ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ବାଇଁ ଚଳିତ ବର୍ଷର ଧାନ କ୍ରୟ ପାଇଁ ସରକାରଙ୍କ ଯୋଜନା ସବୁ କ’ଣ ରହିଛି ଏବଂକନ୍ଧମାଳ ଜିଲ୍ଲା ପ୍ରଶାସନ କେଉଁ କେଉଁ ବ୍ୟବସ୍ଥା କରିଛି ସେ ବିଷୟରେ ବୈଠକରେ ସୂଚନା ଦେଇଥିଲେ । ସେ କହିଲେ ଧାନ କ୍ରୟରେ ଅସୁବିଧା ନ ହେବା ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବା ସହିତ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲାଯିବ। ଅଧିକ ମଣ୍ଡି ବ୍ୟାବସ୍ଥା କରିବା ପାଇଁ ଚାଷୀମାନେ ଆବେଦନ କଲେ ତାହା କୃଷି ବିଭାଗକୁ ଜଣାଇଦିଆଯିବ । ସେହିପରି ଟୋକନ୍ଗୁଡ଼ିକୁ ପ୍ରଦର୍ଶନ କରାଯିବା ସହିତ ଫାର୍ମର କମିଟିକୁ ଜଣାଇ ଦିଆଯିବ । ବିକ୍ରୟ ପାଇଁ ଅସିଥୁବା ଧାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖୁବା ପାଇଁ ବ୍ୟବସ୍ଥା କରାଯିବ । ଗତବର୍ଷ ୩ ହଜାର ୯୧୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୪ହଜାର ୩୩୩ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସମସ୍ତଙ୍କ ନିଷ୍ପତିକ୍ରମେ ଚଳିତ ବର୍ଷ ତା ୨୦.୧୨. ୨୦୨୨ରିଖରୁ ବାଲିଗୁଡ଼ା ଉପଖଣ୍ଡରୁ ଧାନ କ୍ରୟ କରିବା ଅରମ୍ଭ ହେବ ବୋଲି ସ୍ଥିର କରାଗଲା। ସେହିପରି ତା ୨୭.୧୨.୨୦୨୨ରିଖରୁ ଫୁଲବାଣୀ ଉପଖଣ୍ଡରୁ ଧାନ କ୍ରୟ ଆରମ୍ଭ କରାଯିବ ବୋଲି ସୁର କରାଗଲା। ଉକ୍ତ ବୈଠକରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, କନ୍ଧମାଳ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ଫାର୍ମର ପ୍ରତିିନିଧି, ମିଲର୍,ନିୟନ୍ତ୍ରିତ ବଜାର କମିଟି ଗୁଡ଼ିକର ସମ୍ପାଦକ, ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।