
ମାଉଣ୍ଟ୍ ମୌଙ୍ଗନୁଇ: ଟି-୨୦ ଫର୍ମାଟରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଆଜି ପୁଣି ଥରେ ଗର୍ଜିଛି । ନ୍ୟୁଜିଲାଣ୍ଡ ମାଟିରେ ଜାରି ଥିବା ଦ୍ବିପାକ୍ଷୀକ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଯୁବ ବ୍ୟାଟର ସୂର୍ଯ୍ୟକୁମାର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ଟି-୨୦ ଫର୍ମାଟରେ ଏହା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଶତକ । ମାତ୍ର ୫୧ ବଲରୁ ସେ ୧୧୧ ରନର ଇନିଂସ ଖେଳିଛନ୍ତି, ଯେଉଁଥିରେ ୧୧ଟି ଚୌକା ଓ ୭ଟି ଛକା ସାମିଲ ରହିଛି ।
ଶେଷ ୫ ଓଭରରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଥିଲେ ବିଶ୍ୱବାସୀ । ମାଉଣ୍ଟ୍ ମୌଙ୍ଗନୁଇସ୍ଥିତ ଓଭାଲ ଷ୍ଟାଡିୟମର ପ୍ରତିଟି କ୍ଷେତ୍ରକୁ ସେ ସଟ୍ ଖେଳିଥିଲେ । ସୂର୍ଯ୍ୟ ନିଜର ପ୍ରଥମ ୫୦ ରନ୍ ୩୨ ବଲ୍ରେ ପୂରଣ କରିଥିଲେ । ସେହିଭଳି ଶେଷ ୧୯ ବଲରେ ୬୧ ରନ କରିଥିଲେ। ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଦେଖି ଆଜି କ୍ରିକେଟ୍ପ୍ରେମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଶତକ ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସୂର୍ଯ୍ୟକୁମାର ଯାଦବ ୩୦ ମ୍ୟାଚରୁ ୧୧୫୧ ରନ କରିବାକୁ ସକ୍ଷମ ହୋଇଛନ୍ତି ।
ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ନିର୍ଦ୍ଧାରିତ ଓଭରରେ ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୯୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୧୧୧ ରନ୍ କରିଥିବା ବେଳେ ଈଶାନ କିଶାନ ୩୬, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟର ୧୩ ରନ ଲେଖାଏଁ କରିଥିଲେ। ଗୋଟିଏ ସମୟରେ ଭାରତ ୨୦୦ ରନ୍ ସ୍କୋର ଆଡକୁ ଅଗ୍ରସର ହେଉଥିଲା ବେଳେ ଟିମ୍ ସାଉଦୀ ଆକ୍ରମଣାତ୍ମକ ବୋଲିଂ କରିଥିଲେ। ସେ ହାଟ୍ରିକ ନେଇ ଟିମ୍ ଇଣ୍ଡିଆର ୨୦୦ ରନ୍ ସ୍କୋର ସ୍ବପ୍ନକୁ ଅଟକାଇ ଦେଇଥିଲେ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲା। ଭାରତ ଏହି ମ୍ୟାଚ୍କୁ ୬୫ ରନ୍ରେ ଜିତିଥିଲା। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ଅଲ୍ଆଉଟ୍ କରିଥିଲା। ନିଜ ମାଟିରେ ନ୍ୟୁଜିଲାଣ୍ଡ ଟିମ୍ ୧୨୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଭାରତ ତରଫରୁ ଦୀପକ ହୁଡ଼ା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜଙ୍କୁ ୨-୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ୱାସିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତ ଚଳିତ ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଥିଲା ବେଳେ ତୃତୀୟ ତଥା ଶେଷ ଟି-୨୦ ଆସନ୍ତା ୨୫ ତାରିଖରେ ଖେଳାଯିବ।