ଶ୍ରଦ୍ଧା ହତ୍ୟାକାରୀକୁ ଦିଲ୍ଲୀ ପୁଲିସ ସବୁଠୁ କଠିନ ଶାସ୍ତି ଦେବ: ଅମିତ ଶାହ

add-all

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲ୍‌କର୍‌ଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯତ୍ନବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଆଜି ‘ଟାଇମ୍‌ସ୍‌ ନାଓଁ ସମିଟ୍‌’ରେ ଅମିତ ଶାହ କହିଛନ୍ତି, ଶ୍ରଦ୍ଧା ୱାଲ୍‌କର୍‌ଙ୍କୁ ଯିଏ ମାରି ଥାଉ ନା କାହିଁକି, ସ୍ବଳ୍ପ ସମୟ ମଧ୍ୟରେ ଦିଲ୍ଲୀ ପୁଲିସ, ବିଚାର ବ୍ୟବସ୍ଥା ତାକୁ କଠିନତମ ଶାସ୍ତି ଦିଆଯିବା ଉପରେ ସୁନିଶ୍ଚିତ ହେବେ। ମୁଁ ଘଟଣା ଉପରେ ଦୃଷ୍ଟି ରଖିଛି।

୨୦୨୦ରେ ଶ୍ରଦ୍ଧା ଲେଖିଥିବା ପତ୍ର ବିଷୟରେ ପୁଲିସର କୌଣସି ଭୂମିକା ନାହିଁ। ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଥିବା ପୁଲିସ ନିକଟକୁ ଶ୍ରଦ୍ଧା ଉକ୍ତ ପତ୍ର ପଠାଇଥିଲେ। ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦିଆଯିବାକୁ ଧମକ ଦିଆଯାଉଛି ବୋଲି ଉକ୍ତ ପତ୍ରରେ ସେ ଲେଖିଥିଲେ। ତା’ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଗତକାଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି ଯେ, ଏ ଘଟଣା ଉପରେ ତଦନ୍ତ କରାଯିବ। ସେ ସମୟରେ ଆମ ସରକାର କ୍ଷମତାରେ ନ ଥିଲା। କିନ୍ତୁ, ଏଥିପାଇଁ ଯିଏ ଦାୟୀ ‌ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଶ୍ରଦ୍ଧାଙ୍କ ‘ଲିଭ୍‌-ଇନ୍‌ ପାର୍ଟନର୍‌’ ଅଫ୍‌ତାବ୍‌ ଅମୀନ୍‌ ପୂନାୱାଲା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ମେ ମାସରେ ଦିଲ୍ଲୀର ମେହରୌଲି ଅରଣ୍ୟରେ ଫିଙ୍ଗିଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ଅଫ୍‌ତାବ୍‌ ପୁଲିସ ହାଜତରେ ଅଛି।

ad-week
Leave A Reply

Your email address will not be published.