ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

add-all

ନୂଆଦିଲ୍ଲୀ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି।

ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ ରହିବାକୁ ଜନସାଧାରଣଙ୍କୁ ନିର୍ଦେଶ ଦେଇଛନ୍ତି।

ଅଦାଲତ କହିଛନ୍ତି, ଏକଥା ନିଃସନ୍ଦେହ ଯେ, ଅଭିଯୋଗକାରୀ ଜଣେ ସୁପରିଚିତ ବ୍ୟକ୍ତିତ୍ବ ଏବଂ ସେ କେତେଗୁଡ଼ିଏ ବିଜ୍ଞାପନରେ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ବିନା ଅନୁମତି ଓ ସ୍ବୀକୃତିରେ ନିଜ ନିଜ ସାମଗ୍ରୀ ଓ ସେବାର ପ୍ରଚାର ପାଇଁ ଅଭିଯୁକ୍ତମାନେ ତାଙ୍କ ‘ସେଲି‌ବ୍ରିଟି ଷ୍ଟାଟସ୍‌’ ବ୍ୟବହାର କରୁଥିବାରୁ ସେ କ‌ଷ୍ଟ ଅନୁଭବ କରୁଛନ୍ତି। ଏହି ମାମଲା ନିଶ୍ଚୟ ବିଚାରଯୋଗ୍ୟ ବୋଲି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରିତ ପ୍ରାଥମିକ ବିଶ୍ଳେଷଣରୁ ଅନୁମାନ କରାଯାଉଛି।

ଗୁରୁତ୍ବାରୋପ କରି ଅଦାଲତ କହିଛନ୍ତି ଯେ, ଏହି ଆଦେଶ ଜାରି କରା ନ ଗଲେ ଅମିତାଭ ବଚ୍ଚନଙ୍କର ଭୀଷଣ କ୍ଷତି ଏବଂ କେତେକ କ୍ଷେତ୍ରରେ ତାଙ୍କର ମର୍ଯାଦାହାନୀ ଘଟିପାରେ।

ଉଲ୍ଲେଖଯୋଗ୍ୟ, ନିଜର ‘ବ୍ୟକ୍ତିତ୍ବ ଅଧିକାର’ ସୁରକ୍ଷିତ ରଖିବା ନିମନ୍ତେ ଅଭିନେତା ଅମିତାଭ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।

ସୂଚନାଯୋଗ୍ୟ, ‘ବ୍ୟକ୍ତିତ୍ବ ଅଧିକାର’କୁ ‘ପ୍ରଚାର ଅଧିକାର’ ମଧ୍ୟ କୁହାଯାଏ। ଏହି ଅଧିକାର ହେଉଛି, ଜଣେ ବ୍ୟକ୍ତିଙ୍କର ନାଁ ଓ ଫଟୋ ଆଦି ପରିଚୟର ବ୍ୟାବସାୟିକ ବ୍ୟବହାର ଉପରେ ନିୟନ୍ତ୍ରଣ।

ବିନା ସମ୍ମତିରେ ପ୍ରସାରଣ କରାଯାଉଥିବା ଅମିତାଭ ବଚ୍ଚନଙ୍କ ‘ପ୍ରଚାର ଅଧିକାର’ର ଅନ୍ତର୍ଗତ ବିଷୟବସ୍ତୁ ହଟାଇ ଦେବା ପାଇଁ ଅଦାଲତ କର୍ତ୍ତୃପକ୍ଷ ଏବଂ ଟେଲିକମ୍‌ ସେବା ଯୋଗାଣକାରୀଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.