ଜାପାନ ନିକଟ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କଲା ରୁଷ୍‌

add-all

ମସ୍କୋ: ଉତ୍ତରାଞ୍ଚଳ କୁରିଲ୍‌ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ସୂଚନାଯୋଗ୍ୟ, ଯୁଦ୍ଧ ପାଇଁ ଗୁରୁତ୍ବପୂର୍ଣ୍ଣ ଜାପାନ ଓ ରୁଷୀୟ କାମଚାତ୍‌କା ଉପଦ୍ବୀପ ମଧ୍ୟରେ ଥିବା ଦ୍ବୀପମାଳାରୁ କୁରିଲ୍‌ ଅନ୍ୟତମ। ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ସମୟରେ ଜାପାନଠାରୁ ସୋଭିଏତ୍‌ ସେନା ଜବତ କରିଥିବା ଏହି ଦ୍ବୀପର ଦକ୍ଷିଣାଞ୍ଚଳ ରୁଷ୍‌ ଦଖଲରେ ରହିଛି। କିନ୍ତୁ, ଏହି ଦ୍ବୀପ ଜାପାନର ଉତ୍ତର ସୀମାନ୍ତ ଅନ୍ତର୍ଗତ ଅଞ୍ଚଳ ବୋଲି ଟୋକିଓ ଦାବି କରି ଆସୁଛି।

ସୋମବାର ଦିନ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୫୦୦ କିଲୋମିଟର୍‌ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର ସାମର୍ଥ୍ୟ ଥିବା ‘ଦି ରଷିଆନ୍‌ ବାଷ୍ଟିଅନ୍‌ ସିଷ୍ଟମ୍‌’ ପାରାମୁସିର୍‌ ଦ୍ବୀପରେ ମୁତୟନ କରାଯାଇଛି। ଦ୍ବୀପକୁ ଲାଗି ରହିଥିବା ଜଳାଞ୍ଚଳ ଓ ପ୍ରଣାଳୀ ଜୋନ୍‌ଗୁଡ଼ିକ ନିୟନ୍ତ୍ରଣ କରିବା ଲାଗି ‘ପେସିଫିକ୍‌ ଫ୍ଲିଟ୍‌’ର ଉପକୂଳବର୍ତ୍ତୀ ସୈନିକ ଅହର୍ନିଶ ନଜର ରଖିବେ।

କୁରିଲ୍‌ ପର୍ବତଶ୍ରେଣୀର କେନ୍ଦ୍ର‌ ଭାଗରେ ଥିବା ମତୁଆ ଦ୍ବୀପରେ ‘ଦି ବାଷ୍ଟିଅନ୍‌ ସିଷ୍ଟମ୍‌’ ବସା ଯିବାର ପ୍ରାୟ ବର୍ଷକ ପରେ ଉପରୋକ୍ତ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ମୁତୟନ କରାଯାଇଛି ବୋଲି ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଜାପାନର ମୁଖ୍ୟ କ୍ୟାବିନେଟ୍‌ ସଚିବ ହିରୋକାଜୁ ମାତସୁନୋ କହିଛନ୍ତି ଯେ, ସରକାର ରୁଷୀୟ ସାମରିକ କାର୍ଯ୍ୟକଳାପ ଉପରେ ତୀବ୍ର ଦୃଷ୍ଟି ରଖିବ।

ଉଲ୍ଲେଖଯୋଗ୍ୟ, ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ନାଁରେ ମସ୍କୋ ୟୁକ୍ରେନ୍‌କୁ ହଜାର ହଜାର ସୈନ୍ୟ ପଠାଇବା ପରେ ରୁଷ୍‌ ଉପରେ ଆର୍ଥିକ କଟକଣା ଲାଗୁ କରିବା ନିମନ୍ତେ ଜାପାନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସହିତ ସାମିଲ ହୋଇଛି। ଏଥିପାଇଁ ରୁଷ୍‌ ଜାପାନ ସହିତ କରିଥିବା ଶାନ୍ତି ରାଜିନାମା ଆଲୋଚନାରୁ ବିରତ ହୋଇଛି।

ad-week
Leave A Reply

Your email address will not be published.