ରାଉରକେଲାରେ ଆରମ୍ଭ ହେଲା ନଗର କ୍ରୀଡ଼ା ଉତ୍ସବ : ଉଦ‌ଘାଟନୀ ଦିବସରେ ୧୧ଟି କବାଡ଼ି ଓ ୨ଟି ହକି ମ୍ୟାଚ୍‌ ଖେଳାଗଲା…

add-all


ସୁନ୍ଦରଗଡ଼ //ରାଉରକେଲା : ୮ ଡିସେମ୍ବର ୨୦୨୨; ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ରାଉରକେଲା ସହରରେ ଆରମ୍ଭ ହୋଇଛି ନଗର କ୍ରୀଡ଼ା ଉତ୍ସବ । ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଉପ ଆୟୁକ୍ତ ସୁଧାଂଶୁ ଭୋଇ ଆଜି ଏହାକୁ ଆନୁଷ୍ଠାନିକ ଭାବେ ଉଦ‌ଘାଟନ କରିଛନ୍ତି । ଆଜିର ଉଦଘାଟନୀ ଦିବସରେ ହକି ଓ କବାଡ଼ିର ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଥିଲା ।


ସେକ୍ଟର ୨୦ ସ୍ଥିତ ଇନ‌ଡୋର ଷ୍ଟାଡିୟମ୍‌ ପରିସରରେ କଳିଙ୍ଗ ସ୍ପୋର୍ଟସ୍ ଫାଉଣ୍ଡେସନ୍‌, ରାଉରକେଲା ଏବଂ ସୁନ୍ଦରଗଡ଼ କବାଡ଼ି ଡେଭଲପମେଣ୍ଟ ସୋସାଇଟିର ମିଳିତ ଆନୁକୂଲ୍ୟରେ କବାଡ଼ି ଲିଗ୍‌ ମ୍ୟାଚ୍‌ ଗୁଡ଼ିକ ଖେଳାଯାଇଥିଲା। ବାଳିକା ବିଭାଗର ଲିଗ‌ ମ୍ୟାଚ‌ରେ ପ୍ଳାଣ୍ଟ ସାଇଟ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ‌ରେ ଏଚ‌ କେ ରାୟ ହାଇସ୍କୁଲ ୨୦-୪ ପଏଣ୍ଟରେ ବିଜୟୀ ହୋଇଥିବା ବେଳେ ମ୍ୟୁନସିପାଲ କଲେଜ ବିପକ୍ଷ ମ୍ୟାଚରେ ୫୪-୧୬ ପଏଣ୍ଟରେ ବିଜୟୀ ହୋଇଥିଲା ଡିଏଭି ସ୍କୁଲ । ତେବେ ଲିଗ୍‌ ପର୍ଯ୍ୟାୟର ଏଚ‌ କେ ରୟ ବିପକ୍ଷ ଅନ୍ୟ ଏକ ମ୍ୟାଚ‌କୁ ୪୨-୧୧ ପଏଣ୍ଟରେ ଜିଣି ନେଇଛି ମ୍ୟୁନିସିପାଲ କଲେଜ । ସେହିଭଳି ପ୍ଳାଣ୍ଟ ସାଇଟ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ‌କୁ ୩୩-୧ ଏବଂ ଡିଏଭି ପବ୍ଳିକ ସ୍କୁଲ ବିପକ୍ଷ ମ୍ୟାଚ‌କୁ ୪୫-୨୧ ପଏଣ୍ଟରେ ଜିତି ନେଇଛି ନୀଳଶୌଳ ମହାବିଦ୍ୟାଳୟ । ବାଳିକା ବିଭାଗରେ ଲିଗ୍‌ ପର୍ଯ୍ୟାୟ ସମସ୍ତ ମ୍ୟାଚ‌ ଖେଳାଯିବା ପରେ ଶ୍ରେଷ୍ଠ ୨ଟି ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।
ଅନ୍ୟପକ୍ଷରେ ବରିଷ୍ଠ ବାଳକ ବିଭାଗର ଲିଗ‌ ପର୍ଯ୍ୟାୟ ମ୍ୟାଚ‌ରେ ଆଦିବାସୀ ୟୁଥ‌ କ୍ଳବ୍‌ ବିପକ୍ଷ ମ୍ୟାଚ‌କୁ ମ୍ୟୁନିସିପାଲ କଲେଜ (ସିନିୟର) ୩୮-୦୯ ପଏଣ୍ଟରେ ଜିତି ନେଇଛି । ସେହିଭଳି ଲିଗ‌ ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ‌ରେ

ଏଚ‌.କେ.ଆର କଲେଜକୁ ୧୭-୩୬ ପଏଣ୍ଟରେ ପରାସ୍ତ କରିଛି ଆରଏଚ‌ କଲୋନୀ । ଆଜି ଖେଳାଯାଇଥିବା ଆଉ ୨ ଦୁଇ ମ୍ୟାଚ‌ ମଧ୍ୟରୁ ଗୋଟିଏ ମ୍ୟାଚ‌ରେ କବାଡି ଜିଆଣ୍ଟସ୍‌ ୩୧-୧୪ ପଏଣ୍ଟରେ ବିଜୟୀ ହୋଇଥିବା ବେଳେ ବନ୍ଧୋମୁଣ୍ଡା ବିପକ୍ଷ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ‌ରେ ମ୍ୟୁନିସିପାଲ କଲେଜ(ଜୁନିୟର) ୨୯-୨୬ ପଏଣ୍ଟରେ ବିଜୟୀ ହୋଇଛି । ବରିଷ୍ଠ ବାଳକ ବିଭାଗକୁ ମୋଟ ୨ଟି ଗ୍ରୁପରେ ଭାଗ କରାଯାଇଥିବା ବେଳେ ପ୍ରତି ଗ୍ରୁପର ଶ୍ରେଷ୍ଠ ୨ ଟିମ୍‌ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ । ସେହିଭଳି କନିଷ୍ଠ ବାଳକ ବିଭାଗରେ ମୋଟ ୨ଟି ମ୍ୟାଚ‌ ଖେଳାଯାଇଥିବା ବେଳେ ଗୋଟିଏ ମ୍ୟାଚ‌ରେ ଡିଏଭି ପବ୍ଳିକ୍‌ ସ୍କୁଲ ଏବଂ ଅନ୍ୟ ଏକ ମ୍ୟାଚ‌ରେ ଚିନ୍ମୟ ବିଦ୍ୟାଳୟ(ଛେଣ୍ଡ) ବିଜୟୀ ହୋଇଛି ।
କବାଡ଼ି ସହିତ ଉଦ‌ଘାଟନୀ ଦିବସରେ ଆଜି ହକି ମ୍ୟାଚ୍‌ ମଧ୍ୟ ଖେଳାଯାଇଥିଲା । ରାଜ୍ୟ କ୍ରୀଡ଼ା ଛାତ୍ରାବାସ (ପାନପୋଷ) ପରିସରରେ ଖେଳାଯାଇଥିବା ପ୍ରଥମ ମ୍ୟାଚ‌ରେ ଗଙ୍ଗପୁରକୁ ୦-୫ ଗୋଲରେ ପରାସ୍ତ କରିଛି ଡିଏଭି ହିଲ୍ସ । ସେହିଭଳି ଅନ୍ୟ ଏକ ମ୍ୟାଚ‌ରେ ଆମ୍ବେଦକର ନଗରକୁ ୦-୫ ଗୋଲରେ ପରାସ୍ତ କରିଛି ବି.କେ କ୍ଳବ୍‌ । ଭେଟେରାନ୍‌ ହକି ପ୍ଳେୟାର

ଆସୋସିଏସନ୍‌ ଏବଂ ରାଉରକେଲା ମହାନଗର ନିଗମର ମିଳିତ ଅନୁକୂଲ୍ୟରେ ଆଜିର ହକି ମ୍ୟାଚ୍‌ ଗୁଡ଼ିକ ଆୟୋଜିତ ହୋଇଥିଲା । ଉଭୟ ହକି ଏବଂ କବାଡ଼ି ପ୍ରତିଯୋଗିତାର ପରିଚାଳନା ପାଇଁ ସହରର ପ୍ରତିଷ୍ଠିତ ରେଫେରିମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ରାଉରକେଲା ମହାନଗର ନିଗମ କର୍ମଚାରୀ ଉପସ୍ଥିତ ରହି ସେମାନଙ୍କୁ ମ୍ୟାଚ୍‌ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.