ଫିଫା ବିଶ୍ବକପ୍‌ର ଦ୍ବିତୀୟ ସେମିରେ ଫ୍ରାନ୍ସ-ମରକ୍କୋ

newyr25

ଅଲ୍‌ ଖୋର (କାତାର) : ଚଳିତ ଫିଫା ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ର ଫ୍ରାନ୍ସ ଭେଟିବ ମରକ୍କୋକୁ। ଶନିବାର ତୃତୀୟ କ୍ବାର୍ଟରଫାଇନାଲ୍‌ରେ ପର୍ତୁଗାଲ୍‌ ଆଶାରେ ପଣି ଭରି ଦେଇ ମରକ୍କୋ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରି ନୂଆ ଇତିହାସ ରଚିଛି। ବିଳମ୍ବିତ ରାତିରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ କ୍ବାର୍ଟରଫାଇନାଲ୍‌ରେ ଗତ ଥରର ବିଜେତା ଫ୍ରାନ୍ସ ୨-୧ ଗୋଲ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଦେଇଥିଲା। ଦିଦିଏର୍ ଦେଶଚାମ୍ପ୍ସଙ୍କ ଦଳ ଏଥି ସହ ଟ୍ରଫି ବଜାୟ ରଖିବା ଦିଗରେ ଦୁଇଟି ବିଜୟ ଦୂରରେ ରହିଛି। ଫ୍ରାନ୍ସ ବିଗତ ୯ ବିଶ୍ବକପ୍‌ ମ୍ୟାଚ୍‌ରୁ ୮ ଜିତି ଆଗକୁ ବଢ଼ିଛି। ବିଶ୍ବକପ୍‌ ଇତିହାସରେ କିନ୍ତୁ ତୃତୀୟ ମୁକାବିଲାରେ ପ୍ରଥମ ଥର ଫ୍ରାନ୍ସ ଇଂଲଣ୍ଡକୁ ହରାଇବାରେ ସକ୍ଷମ ହୋଇଛି।

ଶନିବାର ଅଲ୍ ବାୟତ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କ୍ବାର୍ଟରଫାଇନାଲ୍‌ରେ ଇଂଲଣ୍ଡ ଚମତ୍କାର ‌ଖେଳି ଦୁଇ ଥର (୧୯୯୮ ଓ ୨୦୧୮) ବିଜେତା ଫ୍ରାନ୍ସକୁ ଚାପରେ ରଖିଥିଲା। କିନ୍ତୁ ସୁନ୍ଦର ଖେଳ ପ୍ରଦର୍ଶନ କରି ଫ୍ରାନ୍ସ ୧୭ତମ ମିନିଟ୍‌ରେ ଗୋଲ୍ ପାଇଯାଇଥିଲା। ଏରୋଲିନ୍ ଚୌମେନି ଏକ ଲଙ୍ଗ୍ ରେଞ୍ଜ୍‌ ସଟ୍‌ରେ ଗୋଲ୍ ଦେଇ ଫ୍ରାନ୍ସକୁ ଆଗୁଆ କରି ଦେଇଥିଲେ। ଏହି ଗୋଟିଏ‌ ଗୋଲ୍ ସହିତ ଫ୍ରାନ୍ସ ପ୍ରଥମାର୍ଦ୍ଧକୁ ୧-୦ ନିଜ ସପକ୍ଷରେ ରଖିଥିଲା। ଦ୍ବିତୀୟାର୍ଦ୍ଧରେ କିନ୍ତୁ ଚୌମେନିଙ୍କ ଭୁଲ୍ କାରଣରୁ ଇଂଲଣ୍ଡକୁ ପେନାଲ୍ଟି ମିଳିଥିଲା। ୫୪ତମ ମିନିଟ୍‌ରେ ‌ଚୌମେନି ବକ୍ସ ଭିତରେ ଇଂଲଣ୍ଡର ସାକାଙ୍କୁ ଚାଲେଞ୍ଚ୍ କରିବାରୁ ସାଉଥଗେଟଙ୍କ ଦଳକୁ ପେନାଲ୍ଟି ମିଳିଥିଲା। ଯାହାକୁ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‌‌ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଏହି ଗୋଲ୍ ସହିତ କେନ୍‌ ମଧ୍ୟ ଇଂଲଣ୍ଡ ପାଇଁ ୫୩ତମ ଗୋଲ୍ ସହିତ ୱେନ ରୁନିଙ୍କ ନାମରେ ଥିବା ଜାତୀୟ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ।
ଦ୍ବିତୀୟାର୍ଦ୍ଧରେ ଫାଉଲ୍ ଖେଳ ମଧ୍ୟ ଫ୍ରାନ୍ସକୁ ଅଡୁଆରେ ପକାଇଥିଲା। ପୁଣି ଥରେ ଫ୍ରାନ୍ସ ବକ୍ସରେ ମାଉଣ୍ଟଙ୍କୁ ହର୍ଣ୍ଣା‌ଣ୍ଡେଜ୍‌ ପଛରୁ ଧକ୍କା ମାରିବାରୁ ରେଫରି ଭାର୍ ସହାୟତାରେ ଏହାକୁ‌ ପେନାଲ୍ଟି ଦେଇଥିଲେ। କେନ୍ କିନ୍ତୁ ଏହାକୁ ବାର୍ ଉପରେ ମାରି ଇଂଲଣ୍ଡ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଇଂଲଣ୍ଡ ପୁଣି ଥରେ ବରାବର ସୁଯୋଗ ହାତଛଡ଼ା କରିଥିଲା। ଏହା ପୂର୍ବରୁ କିନ୍ତୁ ବଡ଼ ମ୍ୟାଚ୍‌ ଖେଳାଳି ଗିରୋଡ ୭୮ତମ ମିନିଟରେ ଫ୍ରାନ୍ସକୁ ଆଗୁଆ କରି ସାରିଥିଲେ। ଗିରୋଡଙ୍କ ଏହା ଚଳିତ ସଂସ୍କରଣ ଚତୁର୍ଥ ଗୋଲ୍ ଥିଲା। ସର୍ବାଧିକ ୫ ଗୋଲ୍ ଦେଇଥିବା କିଲିଆନ୍ ଏମ୍‌ବାପେ ଶନିବାର ସ୍କୋର୍‌ କରିନଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ୨୦୧୮ରେ ଇଂଲଣ୍ଡ ସେମିଫାଇନାଲ୍ ଉଠିଥିଲେ ମଧ୍ୟ କ୍ରୋଏସିଆଠାରୁ ହାରି ବିଦାୟ ନେଇଥିଲା।

Leave A Reply

Your email address will not be published.