ଜନ୍ମ ହେଲା ୪ ଗୋଡ଼ିଆ ଶିଶୁକନ୍ୟା

add-all

ଗ୍ୱାଲିୟର: ଆପଣ ପୂର୍ବରୁ ଯୋଡ଼ାମୁଣ୍ଡ ଶିଶୁ, ଦେହଯୋଡ଼ା ଶିଶୁଙ୍କ ପରି କେତେ ଅଜବ ଶିଶୁଙ୍କ ବିଷୟରେ ଶୁଶିଥିବେ ଓ ଦେଖିଥିବେ। ହେଲେ ଏବେ ଆଉ ଗୋଟିଏ ବିରଳ ଘଟଣା ଘଟିଛି। ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଜଣେ ମହିଳା ୪ଟି ଗୋଡ଼ ଥିବା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଲୋକମାନେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ବେଶ ଉତ୍ସାହ ଦେଖାଇଛନ୍ତି।

ସିକନ୍ଦର କାମ୍ପୋ ଅଞ୍ଚଳରେ ରହୁଥିବା ଆରତୀ କୁଶୱା ବୁଧବାର କମଳା ରାଜା ହସ୍ପିଟାଲରେ ଗୋଟିଏ କନ୍ୟା ସନ୍ତନାକୁ ଜନ୍ମ ଦେଇଛନ୍ତି। ତେବେ ସେ ଜନ୍ମ ଦେଇଥିବା ଶିଶୁକନ୍ୟାର ୪ଟି ଗୋଡ଼ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି। ସେମାନେ ୪ ଗୋଡ଼ିଆ ଶିଶୁକନ୍ୟା ଜନ୍ମ ହେବା ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ତା’ର ଓଜନ ୨.୩ କେଜି ଥିବା ବେଳେ ସେ ବର୍ତ୍ତମାନ ଯାଏ ସଂପୂର୍ଣ୍ଣ ସୁସ୍ଥ ରହିଛି। ଆରତୀ ଦେବୀ ମଧ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ବି ପଡ଼ି ନାହାନ୍ତି। ତଥାପି ଏହି ବିରଳ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି। ଜୟ ଆରୋଗ୍ୟ ହସ୍ପିଟାଲ ଗ୍ରୁପର ସୁପରିନଟେଣ୍ଡେଣ୍ଟ ମଧ୍ୟ ଶିଶୁକନ୍ୟାର ଏକାଧିକ ପରୀକ୍ଷା କରିଛନ୍ତି।

ସୁପରିନଟେଣ୍ଡେଣ୍ଟ ଡା ଆରକେଏସ୍‌ ଧାକାଡ କହିଛନ୍ତି, “ଜନ୍ମ ବେଳ ଶିଶୁକନ୍ୟାର ୪ଟି ଗୋଡ଼ ରହିଥିଲା। କିଛି ଭୃଣ ମାତୃ ଗର୍ଭରେ ଥିବା ସମୟରେ ବେଳେବେଳେ ଅତିରିକ୍ତ ବଢ଼ିଥାଏ। ଏହାକୁ ଡାକ୍ତରୀ ଭାଷାରେ Ischiopagus କୁହାଯାଏ। ମାତୃଗର୍ଭରେ ଶରୀର ଦୁଇ ଭାଗରେ ବିକଶିତ ହୋଇଥାଏ, ଅଣ୍ଟାରୁ ତଳକୁ ଓ ଅଣ୍ଟାରୁ ଉପରକୁ। ଏ କ୍ଷେତ୍ରରେ ଭୃଣ ଶିଶୁକନ୍ୟାର ଅଣ୍ଟାରୁ ତଳକୁ ଅତିରିକ୍ତ ଦୁଇଟି ଗୋଡ଼ ବିକଶିତ ହୋଇଯାଇଛି। କିନ୍ତୁ ଏହି ଦୁଇ ଗୋଡ଼ ଅଚଳ ରହିଛି। ଏବେ ଡାକ୍ତରୀ ଟିମ ଶିଶୁକନ୍ୟାର ଦେହରେ ଅନ୍ୟ କୌଣସି ଅତିରିକ୍ତ ଅଂଶ ରହିଛି କି ନାହିଁ ତାହାର ଯାଞ୍ଚ କରୁଛନ୍ତି। ଯଦି ଯାଞ୍ଚ ପରେ ସେ ସୁସ୍ଥ ଥିବା ଜଣାପଡ଼ିବ ତା’ହେଲେ ଅପରେସନ ଦ୍ୱାରା ଅତିରିକ୍ତ ଦୁଇଟି ଯାକ ଗୋଡ଼କୁ ବାହାର କରି ଦିଆଯିବ। ଫଳରେ ସେ ସ୍ୱାଭାବିକ ଜୀବନଯାପନ କରିପାରିବେ।”

ବର୍ତ୍ତମାନ ଶିଶୁକନ୍ୟାଟିକୁ ସ୍ପେଶାଲ ନବଜାତ କେୟାର ୟୁନିଟରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନିୟମିତ ଯାଞ୍ଚ କରାଯାଉଛି। ସେ ଏଯାଏଁ ସୁସ୍ଥ ରହିଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶର ରତଲାମରେ ଜଣେ ମହିଳା ଦୁଇ ମୁଣ୍ଡ, ୩ଟି ହାତ ଓ ଦୁଇ ଗୋଡ଼ ଥିବା ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

ad-week
Leave A Reply

Your email address will not be published.