ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ହେବେ ସଂକ୍ରମିତ : ବିଶେଷଜ୍ଞ

add-all

ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଆସନ୍ତା ମାସରେ ଚୀନ୍‌ର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଆସନ୍ତା ତିନିମାସ ମଧ୍ୟରେ ଚୀନ୍‌ର ୬୦% ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି ଏବଂ ଏହା ସହିତ ଲକ୍ଷ ଲକ୍ଷ ମୃତ୍ୟୁ ମଧ୍ୟ ହୋଇପାରେ।

ଏପିଡେମୋଲୋଜିଷ୍ଟ ତଥା ସ୍ୱାସ୍ଥ୍ୟ ଅର୍ଥନୀତିଜ୍ଞ ଏରିକ୍ ଫିଗଲ୍-ଡିଙ୍ଗ ଏକ ଟ୍ୱିଟର ଥ୍ରେଡ଼ରେ କହିଛନ୍ତି ଯେ, ପ୍ରତିବନ୍ଧକ ହଟାଯିବା ପରେ ଚୀନ୍‌ର ଡାକ୍ତରଖାନାଗୁଡ଼ିକରେ ଅତ୍ୟଧିକ ମାତ୍ରାରେ କରୋନା ସଂକ୍ରମିତ ଭରି ରହିଛନ୍ତି। ମହାମାରୀ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ଏବଂ ବିଶ୍ୱର ୧୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ।
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ବୟସ୍କଙ୍କ ପାଇଁ ଟିକାକରଣ ହାର ବୃଦ୍ଧି, ଡାକ୍ତରଖାନାର ଚିକିତ୍ସା କ୍ଷମତା ବୃଦ୍ଧି ଓ ଆଣ୍ଟିଭାଇରାଲ୍ ଔଷଧର ଷ୍ଟକ ରଖି ନପାରିଲେ ଚୀନର ୧.୪ ବିଲିୟନ ନାଗରିକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଅର୍ଥନୀତିଜ୍ଞ ଫିଗଲ୍-ଡିଙ୍ଗ କହିଛନ୍ତି ଯେ, ଚାଇନାରେ କରୋନାଭାଇରସ୍ ଦ୍ୱିଗୁଣିତ ହେବ। ଆଉ କିଛି ଦିନ ନୁହେଁ, ବରଂ କିଛି ଘଣ୍ଟା ଲାଗିବ। ବର୍ତ୍ତମାନ ମାମଲା ଗଣିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି କାରଣ ଆରଟିପିସିଆର ଟେଷ୍ଟ ଏତେ ଶୀଘ୍ର କରିବା କଷ୍ଟକର ।

ଚୀନ୍‌ରେ କରୋନା ପ୍ରତିବନ୍ଧକ ହଟାଯିବା ପରଠାରୁ ବେଜିଂରେ ସୋମବାର ଦିନ ଦୁଇ ଜଣ ଓ ମଙ୍ଗଳବାର ଦିନ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଚୀନ୍ କରୋନା ସଂକ୍ରମଣ ନେଇ ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି, ଏହା ପରେ ସେଠାରେ ଥିବା ଡାକ୍ତରଖାନାଗୁଡ଼ିକରେ ଜ୍ୱରରେ ପୀଡିତ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି ଯେ ଏହି ଭାଇରସ୍ ଦେଶରେ ବ୍ୟାପକ ଭାବେ ବ୍ୟାପିଛି, କାରଣ ଲୋକମାନେ ମହାମାରୀକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ad-week
Leave A Reply

Your email address will not be published.