ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ

add-all

ଭୁବନେଶ୍ୱର: ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ। ଆଜି ସକାଳେ ତାଙ୍କର ସନ୍ଦେହ ଜନକ ଭାବେ କଣ୍ଟାବାଞ୍ଜି ଜେଲ୍‌ରେ ମୃତ୍ୟୁ ଘଟିଛି। ଜେଲ୍‌ରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। କିନ୍ତୁ ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ ଆତ୍ମହତ୍ୟା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି।

କେଗାଁ ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିବା ବେଳେ ସୁଷମା ଗଣମାଧ୍ୟମକୁ କହିଛନ୍ତି, ମୋ’ ସ୍ୱାମୀ ଜଣେ ଷ୍ଟ୍ରଙ୍ଗ ଲୋକ ଥିଲେ। ସେ ଆତ୍ମହତ୍ୟା କରି ନଥିବେ। ଯଦି ଆତ୍ମହତ୍ୟା କରିବାର ଥିଲା, ତା’ହେଲେ ବର୍ଷେ ତଳେ ସେ ଆତ୍ମହତ୍ୟା କରିଥାଆନ୍ତେ। ପ୍ଲାନ୍‌ କରି ତାଙ୍କୁ ହତ୍ୟା କରାଯାଇଛି। ଯିଏ ଜେଲ୍‌ରେ ତାଙ୍କୁ ରଖିଥିଲେ, ସେମାନେ ତାଙ୍କୁ ହତ୍ୟା କରିଛନ୍ତି। ଜେଲ୍‌ରେ ତାଙ୍କୁ ଜଗିବାର ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁଷମା।

ସୁଷମାଙ୍କ କହିବା ଅନୁସାରେ ଗୋବିନ୍ଦ ଶେଷ ଥର ପାଇଁ ସୋମବାର (ଗତକାଲି) ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘରକୁ ଫୋନ୍‌ କରିଥିଲେ। ସେ ନିଜେ ଫୋନ୍ ଉଠାଇଥିଲେ। ଅଳ୍ପ ସମୟ ପାଇଁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ମେଡିସିନ୍‌ ଅଛି କି ନାହିଁ, ଶାଶୁଙ୍କ ଦେହ କେମିତି ଅଛି ଓ ବାବୁ କଲେଜ ଯାଉଛି କି ନାହିଁ- ଏମିତି କେତେ କଥା ଗୋବିନ୍ଦ ପଚାରିଥିଲେ ବୋଲି ସୁଷମା କହିଛନ୍ତି।

ଗୋବିନ୍ଦ ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଡିଜିପି ସୁନୀଲ କୁମାର ବଂଶଲ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା କରିଛନ୍ତି ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆରସି)। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଓ ବଲାଙ୍ଗିର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ପୁଲିସ ପୂର୍ବରୁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ୨ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେଙ୍କ ନାଁ ଉଲ୍ଲେଖ ରହିଥିଲା। ତେବେ ବିବାଦରେ ଫସିଥିବା ପୂର୍ବତନ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ ଚିଟ୍ ଦିଆଯାଇଥିଲା।

ad-week
Leave A Reply

Your email address will not be published.