କଂଗ୍ରେସକୁ ଚିଠି ଲେଖିଲା ମନ୍ତ୍ରଣାଳୟ, କିନ୍ତୁ ସଂକ୍ରମଣ ଭୟରେ ଆନ୍ଦୋଳନ ବନ୍ଦ କଲା ବିଜେପି

add-all

ନୂଆଦିଲ୍ଲୀ: ମହାମାରୀ କରୋନା ପୁଣିଥରେ ଡରେଇବାରୁ ଦିନକ ତଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଗ୍ରେସକୁ ଚିଠି ଲେଖି ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବାକୁ ପରୋକ୍ଷରେ ପରାମର୍ଶ ଦେଇଥିଲା। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ପ୍ରବଳ ଭିଡ଼ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଗ୍ରେସକୁ ଚିଠି ଲେଖିଥିଲା।

ତେବେ ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା କଂଗ୍ରେସ ଅଭିଯୋଗ କରି ଭାରତ ଯୋଡ଼ୋ ଯାତ୍ରା ଜାରି ରଖିଛି। କିନ୍ତୁ ଏହି ଚିଠି ପରେ ବିଜେପିକୁ ଘାରିଛି ସଂକ୍ରମଣ ଭୟ। ଏଥିପାଇଁ ବିଜେପି ପକ୍ଷରୁ ରାଜସ୍ଥାନରେ ଜାରି ରହିଥିବା ଜନ ଆକ୍ରୋଶ ଯାତ୍ରାକୁ ବନ୍ଦ କରାଯାଇଛି। ଯାତ୍ରାକୁ ସ୍ଥଗିତ ରଖାଯାଉଥିବା ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଆଜି ସୂଚନା ଦେଇଛନ୍ତି।

ଡିସେମ୍ବର ୧ରୁ ବିଜେପି ରାଜସ୍ଥାନରେ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିଥିଲା। ଡିସେମ୍ବର ୪ରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସ ଶାସିତ ରାଜସ୍ଥାନରେ ପ୍ରବେଶ କରିବା ପୂର୍ବରୁ ବିଜେପି ଏଭଳି ପଦକ୍ଷେପ ଗ୍ରହଣ କରିଥିଲା। ଚାଷୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଅଶୋକ ଗେହଲଟଙ୍କ ସରକାର ଫେଲ ମାରିଥିବା ଅଭିଯୋଗ କରି ବିଜେପି ପଦଯାତ୍ରା କରୁଥିଲା। ହେଲେ ଏବେ କରୋନା ସଂକ୍ରମଣ ଭୟରେ ଦଳ ତା’ର ଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଶ୍ରୀ ସିଂହ କହିଛନ୍ତି, “କୋଭିଡ ୧୯ର କେସ ବଢ଼ୁଥିବାରୁ ବିଜେପି ରାଜସ୍ଥାନରେ ଆରମ୍ଭ କରିଥିବା ଜନ ଆକ୍ରୋଶ ଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ବିଜେପି ପାଇଁ ରାଜନୀତି ଅପେକ୍ଷା ଲୋକମାନେ ଆଗ। ଆମ ପାଇଁ ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

ଦିନକ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭାରତ ଯୋଡ଼ୋ ଯାତ୍ରା ବେଳେ କୋଭିଡ୍‌ ନିୟମ ପାଳନ କରିବାକୁ ଚିଠି ଲେଖିଥିଲେ। ସେ କହିଥିଲେ ଯେ ଭାରତ ଯୋଡ଼ୋ ଯାତ୍ରା ବେଳେ ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜରର ବ୍ୟବହାର କରନ୍ତୁ। ତେବେ ଭାରତ ଯୋଡ଼ୋ ଯାତ୍ରାର ଲୋକପ୍ରିୟତା ବଢ଼ୁଥିବାରୁ ବିଜେପି ସତ୍ୟକୁ ଡରୁଛି ଓ ଏଥିପାଇଁ କରୋନା ଆଳନରେ ଏହାକୁ ବନ୍ଦ କରିବାକୁ ଚାହୁଁଛି ବୋଲି କଂଗ୍ରେସ କହିଛି।

ad-week
Leave A Reply

Your email address will not be published.