ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ… !

add-all

ବଲାଙ୍ଗିର : କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ।

ସେ କହିଛନ୍ତି, ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍‌ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ।

ଗତ ୨୦ ତାରିଖରେ ଗୋବିନ୍ଦ ସାହୁଙ୍କର ମୃତ୍ୟୁ ଘଟିଥିଲା। ଜାମିନ୍ ଆବେଦନର ଶୁଣାଣି ପୂର୍ବରୁ ଜେଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁକୁ ନେଇ ରହସ୍ୟ ଜାରି ରହିଛି। ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଛି। ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟ୍‌ ତଦନ୍ତ କରିବାକୁ ଦାବି କରିଛି। ବର୍ତ୍ତମାନ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।

ଗୋବିନ୍ଦ ସାହୁ ମୃତ୍ୟୁ ପୂର୍ବରୁ ତାଙ୍କ ବଡ଼ ଝିଅଙ୍କ ପାଖକୁ ଏକ ଚିଠି ଲେଖିଥିଲେ ବୋଲି କୁହାଯାଉଛି। ଏହି ଚିଠିଟି ତାଙ୍କ ଜ୍ୟାକେଟର ଭିତର ପକେଟରୁ ମିଳିଥିଲା। କଣ୍ଟାବାଞ୍ଜି ପୁଲିସ୍ ଏହାକୁ ସିଲ୍‌ କରି କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ଜଣାପଡ଼ିଛି। ଚିଠିଟି ଦୁଇ ପୃଷ୍ଠା ସମ୍ବଳିତ ହୋଇଥିବା ବେଳେ ଏହା ଏକ ମାଟିଆ ରଙ୍ଗର ଲଫାପା ଭିତରେ ଥିଲା। ଏହା ଉପରେ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାଙ୍କ ନାଁ ରହିଥିଲା। ମାର୍ଫତରେ ଗୋବିନ୍ଦ ତାଙ୍କ ପତ୍ନୀଙ୍କ ନାଁ ଲେଖିଥିଲେ ବୋଲି କୁହାଯାଉଛି। ତେବେ ଏହି ଚିଠି ଏଯାବତ ଲିପିକାଙ୍କ ହସ୍ତଗତ ହୋଇନାହିଁ।

ad-week
Leave A Reply

Your email address will not be published.