ଆଗ୍ରାରେ ଚାଇନା ଫେରନ୍ତା ଯୁବକ କରୋନା ଚିହ୍ନଟ…

youtube

ଆଗ୍ରା: ଚାଇନାରେ କରୋନା ସଂକ୍ରମଣଜନିତ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ଲକ୍ଷାଧିକ ରହୁଥିବା ବେଳେ ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ସୁବିଧାର ଅଭାବ ଚିନ୍ତାର କାରଣ ପାଲଟିଛି। ବେଜିଂ ସହ ଚାଇନାର ଅନେକ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଶଯ୍ୟା ଅଭାବ ପରିଲକ୍ଷିତ ହେଉଛି। ତେବେ ଏହାରି ଭିତରେ ଚାଇନାରୁ ଫେରିଥିବା ଜଣେ ଯୁବକ କରୋନା ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଉତ୍ତରପ୍ରଦେଶ ଆଗ୍ରାରେ।

ଦୁଇ ଦିନ ପୂର୍ବରୁ ସେ ଚାଇନାରୁ ଫେରିଥିଲେ। ଏକ ଘରୋଇ ଲ୍ୟାବରେ କରୋନା ପରୀକ୍ଷା କରାଯାଇଥିଲା। କରୋନା ରିପୋର୍ଟ ପଜିଟିଭ୍‌ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ ଯୁବକଙ୍କ ଘରେ ପହଞ୍ଚିଛି।
ଶାହାଗଞ୍ଜ ଅଞ୍ଚଳର ଜଣେ ୪୦ ବର୍ଷ ବୟସ୍କ ଯୁବକ ଚାଇନା ଯାଇଥିଲେ। ସେ ୨୩ ଡିସେମ୍ବରରେ ଆଗ୍ରାକୁ ଫେରିଥିଲେ। ଏଠାରେ ସେ ଏକ ଘରୋଇ ଲ୍ୟାବରେ କରୋନା ଟେଷ୍ଟ କରିଥିଲେ। ରବିବାର କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଘରୋଇ ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଥିଲା। ସେପଟେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ପୁଣି କିଛି ବୃଦ୍ଧି ପାଇ ୨୩୦ ଉପରେ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ଥିଲେ ବି ୩୫୦୦ ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
ଆଜି ‘ମନ୍ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ଜନସାଧାଣଙ୍କୁ କହିଛନ୍ତି, ବିଶ୍ବର ଅନେକ ଦେଶରେ କୋଭିଡ୍‌ ମାମଲା ବୃଦ୍ଧି ପାଉଥିବା ଦେଖୁଛନ୍ତି। ଆମେ ସତର୍କ ରହିବା ଆବଶ୍ୟକ ଏବଂ ମାସ୍କ୍‌ ପିନ୍ଧିବା ସହିତ ହାତ ଧୋଇବା ଉଚିତ। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ କେରଳ ପିଛିଲା ଭାବେ ୧ଜଣଙ୍କର ମୃତ୍ୟୁ ସଂଯୋଗ କରିବାରୁ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୬୯୩କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୪୨,୯୮୯। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୮୦% ରହିଛି।
ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨୪ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୧%।

Leave A Reply

Your email address will not be published.