ହିତେନ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌, ୭ ଅଭିଯୁକ୍ତ ଗିରଫ…

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଯୁବ ବ୍ୟବସାୟୀ ହିତେନ ସ୍ୱାଇଁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍। ଚିଟ୍‌ଫଣ୍ଡରେ ଟଙ୍କା ବୁଡ଼ିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏଥିରେ ୭ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସୁଧାଂଶୁ ଶେଖର ସ୍ୱାଇଁ, ଚିତ୍ରସେନ ସାହୁ, ଜଗନ୍ନାଥ ଭୂୟାଁ ଓରଫ ଜଗା, ପ୍ରଦ୍ୟୁମ୍ନ ପାତ୍ର ଓରଫ ଚିକୁ, ପ୍ରୀତିକୃଷ୍ଣ ସ୍ୱାଇଁ ଓରଫ ଫିଲ୍‌ଟର, ବିକ୍ରମ ସ୍ୱାଇଁ ଓ ତ୍ରିପତି ଦାସ ଓରଫ ବାୟା। ଏମାନେ ସମସ୍ତେ ଭଞ୍ଜନଗର ଥାନା ଅଞ୍ଚଳର ବାସିନ୍ଦା।

ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ମିଶ୍ରଙ୍କ ସୂଚନା ଅନୁଯାୟୀ, ମୃତ ହିତେନ ସ୍ୱାଇଁ ଓ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ଶେଖର ସ୍ୱାଇଁଙ୍କ ମଧ୍ୟରେ ଅର୍ଥ ନେଣଦେଣ ହୋଇଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଥିଲା। କିନି ଇଣ୍ଟରନ୍ୟାସନାଲ୍ ନାଁରେ ଏକ ଚିଟ୍ ଫଣ୍ଡ କମ୍ପାନୀ ଥିଲା। ସୁଧାଂଶୁ ସେଥିରେ ହିତେନଙ୍କ ମାଧ୍ୟମରେ ଟଙ୍କା ନିବେଶ କରିଥିଲେ। ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥା ବନ୍ଦ ହୋଇଯିବାରୁ ହିତେନଙ୍କୁ ଟଙ୍କା ମାଗିଥିଲେ ସୁଧାଂଶୁ। କିନ୍ତୁ ହିତେନ ପଇସା ଫେରାଇ ନଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଏବଂ ହିତେନଙ୍କୁ ମାରିବାକୁ ସୁଧାଂଶୁ ଯୋଜନା ପ୍ରସ୍ତୁତ କରିଥିଲେ।

ସୁଧାଂଶୁଙ୍କ ନିର୍ଦ୍ଦେଶ ଅନୁସାରେ ଅନ୍ୟ ଅଭିଯୁକ୍ତମାନେ ୧୩ ତାରିଖ ସନ୍ଧ୍ୟାରେ ହିତେନ ସ୍ୱାଇଁଙ୍କୁ ବାଇକରେ ଅପହରଣ କରି ବାଉଁଶଲୁଣ୍ଡିକୁ ନେଇ ଯାଇଥିଲେ। ସେଠାରେ ଏକ ଧୂପକାଠି ଗୋଦାମରେ ହିତେନଙ୍କୁ ହତ୍ୟା କରିଥିଲେ। ତା’ପରେ ମୃତଦେହକୁ ଫିଙ୍ଗି ଦେଇଥିଲେ। ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାରେ ଏକ ପାହାଡ଼ ତଳେ ମୃତଦେହକୁ ଫୋପାଡ଼ି ଦିଆଯାଇଥିଲା।

ଏହି ଘଟଣାର ତଦନ୍ତ ବେଳେ ଭଞ୍ଜନଗର ପୁଲିସ୍ ପ୍ରଥମେ ତ୍ରିପତି ଦାସ ଓରଫ ବାୟାଙ୍କୁ ଗିରଫ କରିଥିଲା। ସେ କଇଁନ୍ଦି ଗାଁର ବାସିନ୍ଦା। ତାଙ୍କୁ ଜେରା ବେଳେ ସେ ଏହି ହତ୍ୟାକାଣ୍ଡ କେମିତି ଘଟିଥିଲା, ତାହା କହିଥିଲେ। ତାଙ୍କ ସୂଚନା ଆଧାରରେ ପୁଲିସ୍ ହିତେନ ସ୍ୱାଇଁଙ୍କ ମୃତଦେହ ଜବତ କରିବା ସହିତ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା।

ad-week
Leave A Reply

Your email address will not be published.