
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୯ ବର୍ଷୀୟ ମାଆ ହୀରାବେନ୍ ଆଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ତାଙ୍କୁ ଅହମଦାବାଦସ୍ଥିତ ୟୁ. ଏନ୍. ମେହେଟ୍ଟା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
‘ପିଟିଆଇ’ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ମୋଦୀ ଅହମଦାବାଦସ୍ଥିତ ‘ୟୁଏନ୍ ମେହେଟ୍ଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ୍ ରିସର୍ଚ ସେଣ୍ଟର୍’ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଡାକ୍ତରଖାନାସୂତ୍ରରୁ ପ୍ରକାଶ।
ସ୍ମରଣଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଗୁଜରାଟ ବିଧାନସଭାର ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମାଆଙ୍କୁ ଭେଟିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ହୀରାବେନ୍ ଭୋଟ୍ ଦେଇଥିଲେ।
୧୯୨୩ ମସିହା ଜୁନ୍ ୧୮ରେ ଜନ୍ମିତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍ ଜୀବନର ଏକଶତ ବର୍ଷରେ ଉପନୀତା ହୋଇଛନ୍ତି।
ତାଙ୍କୁ ଭେଟିବା ପରେ ଟୁଇଟ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ: ମୋ ଜୀବନରେ ଯାହା କିଛି ଭଲ ହୋଇଛି ଏବଂ ମୋ ଚରିତ୍ରରେ ଯେତେ ସବୁ ଭଲ ଗୁଣ ରହିଛି ତାହା ଯେ, ମୋର ପିତାମାତାଙ୍କ ସୁକୃତରୁ, ଏଥିରେ ମୋର ସନ୍ଦେହ ନାହିଁ। ଆଜି ମୁଁ ଦିଲ୍ଲୀରେ ବସି ବିଗତ ଦିନର ସ୍ମୃତିଚାରଣ କରୁଛି।