ପୁଣି ବିମାନ ଭିତରେ ପରିସ୍ରା କଲେ ମଦୁଆ ଯାତ୍ରୀ

add-all

ନୂଆଦିଲ୍ଲୀ: ପୁଣିଥରେ ବିମାନ ଭିତରେ ଘଟିଛି ଅଭାବନୀୟ ଘଟଣା। ଜଣେ ମଦ୍ୟପ ବ୍ୟକ୍ତି ବିମାନ ଭିତରେ କରିଛନ୍ତି ପରିସ୍ରା। ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମଦ ନିଶାରେ ଜଣେ ଯାତ୍ରୀ ତାଙ୍କ ପାଖରେ ବସିଥିବା ମହିଳାଙ୍କ କମ୍ବଳରେ ପରିସ୍ରା କରି ଦେଇଛନ୍ତି। ତେବେ ବ୍ୟକ୍ତି ଜଣଙ୍କ ନିଜର ଭୁଲ ପାଇଁ ଲଖିତ ଭାବେ କ୍ଷମା ମାଗିବାରୁ ତାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ପୂରା ଘଟଣା ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ ୧୪୨ରେ ଘଟିଥିଲା। ଘଟଣା ସମ୍ପର୍କରେ ବିମାନର ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି)କୁ ମଧ୍ୟ ଜଣାଇଥିଲେ। ଏହି ଖବର ମିଳିବା ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷ ମଦୁଆ ଯାତ୍ରୀଙ୍କୁ ଧରିଥିଲେ। ତେବେ ଯାତ୍ରୀ ଜଣଙ୍କ ଇକୋନୋମି କିମ୍ବା ବିଜନେସ କ୍ଲାସରେ ଯାତ୍ରା କରୁଥିଲେ ସେକଥା ଜଣାପଡ଼ିନି।
ପ୍ୟାରିସରୁ ଆସୁଥିବା ବିମାନଟି ସକାଳ ୯.୪୦ରେ ଦିଲ୍ଲୀରେ ଅବତରଣ କରିଥିଲା। ଏହି ସମୟରେ ବିମାନ କର୍ତ୍ତୃପକ୍ଷ ଏୟାରପୋର୍ଟ ସୁରକ୍ଷାକର୍ମୀଙ୍କୁ ଅତ୍ୟଧିକ ମଦ ପିଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ବ୍ୟକ୍ତି ଜଣଙ୍କ ବିମାନ ଯାତ୍ରା ବେଳେ କ୍ୟାବିନ କ୍ରୁ ସଦସ୍ୟଙ୍କ କୌଣସି କଥା ଶୁଣି ନଥିଲେ ଓ ପରେ ବିମାନରେ ଯାତ୍ରା କରୁଥିବା ଆଉ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ।

ଏ ସମ୍ପର୍କରେ ଖବର ପାଇବା ପରେ ସିଆଇଏସଏଫ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ କାବୁ କରି ଅଫିସକୁ ଅଣା ଯାଇଥିଲା। ମହିଳା ଯାତ୍ରୀ ମଧ୍ୟ ଅଫିସକୁ ଆସିଥିଲେ। ଅଫିସ ଭିତରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଏଥିସହ ପରିସ୍ରା କରିଥିବା ବ୍ୟକ୍ତି ଜଣଙ୍କ ଲିଖିତ ଭାବେ କ୍ଷମା ମାଗିବାରୁ ତାଙ୍କୁ ଅଫିସ ଭିତରୁ ବାହାରକୁ ଛଡ଼ା ଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ସମାନ ଘଟଣା ଘଟିଥିଲା। ଏହି ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ମଦ ନିଶାରେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏନେଇ ବୃଦ୍ଧା ଜଣଙ୍କ ଏୟାର ଇଣ୍ଡିଆ ଅଧ୍ୟକ୍ଷଙ୍କୁ ଚିଠି ଲେଖିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା।

ad-week
Leave A Reply

Your email address will not be published.