ନଭେମ୍ବରରେ ଆସାମରୁ ନିଖୋଜ ହେଲେ ମା-ପୁଅ, ଏବେ ପାକିସ୍ତାନ ଜେଲରୁ ଆସିଲା ଖବର…

add-all

ଗୌହାଟୀ: ଗତବର୍ଷ ନଭେମ୍ବରରେ ଆସାମର ନାଗାଓଁରୁ ଜଣେ ମହିଳା ଏବଂ ତାଙ୍କ ପୁଅ ନିଖୋଜ ହୋଇଯାଇଥିବାର ଜଣାପଡିଥିଲା | ତେବେ ବର୍ତ୍ତମାନ ସେମାନଙ୍କ ଠିକଣା ମିଳିଥିବାବେଳେ ସେମାନଙ୍କ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ପରିବାର ସଦସ୍ୟ ଏବେ ଜାଣିବାକୁ ପାଇଛନ୍ତି ଯେ ଉଭୟ ମା-ପୁଅ ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି। ନାଗାଓଁ ପୁଲିସ ଏବଂ ପୀଡିତା ମହିଳାଙ୍କ ପରିବାରଙ୍କ ଦାବି ଅନୁଯାୟୀ ବୈଧ ଦଲିଲ ବିନା ପାକିସ୍ତାନରେ ପ୍ରବେଶ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି | ମହିଳାଙ୍କ ମା ଅଜିଫା ଖାତୁନ ନାଗାଓଁ ପୁଲିସ ଷ୍ଟେସନରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଜ୍ୱାଇଁଙ୍କର ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା | ଆଉ ଝିଅ ଓ ନାତି ୨୬ ନଭେମ୍ବର ୨୦୨୨ଠାରୁ ନିଖୋଜ ଥିଲେ |
ଖାତୁନଙ୍କ ଅନୁଯାୟୀ, ଡିସେମ୍ବର ୨୦୨୨ ରେ ସେ ପାକିସ୍ତାନର ଏକ ଆଇନ ସଂସ୍ଥାରୁ ଚିଠି ପାଇଥିଲେ ଯେ ବୈଧ ଦଲିଲ ବିନା ସୀମା ପାର ହୋଇଥିବାରୁ ତାଙ୍କ ଝିଅ ଏବଂ ନାତିକୁ ଗିରଫ କରାଯାଇଥିଲା | ଉଭୟଙ୍କୁ କ୍ୱେଟାର ଜିଲ୍ଲା ଜେଲରେ ରଖାଯାଇଛି । ଖାତୁନଙ୍କ କହିବାନୁସାରେ, ତାଙ୍କ ଝିଅ ଶାଶୁଘରର ସମ୍ପତ୍ତି ବିକ୍ରୟ କରିବା ପରେ ଜଣେ ଯୁବକ ସହିତ ପାକିସ୍ତାନ ଯାଇଥିଲେ। ଏହି ଯୁବକ ଜଣେ ଆଫଗାନିସ୍ତାନ ନାଗରିକ ଏବଂ ତାଙ୍କୁ ପାକିସ୍ତାନରେ ଗିରଫ କରାଯାଇ କ୍ୱେଟା ଜେଲରେ ରଖାଯାଇଛି। ଖାତୁନ କହିଛନ୍ତି ଯେ ସେ ତାଙ୍କ ଝିଅକୁ ପାକିସ୍ତାନରୁ ଭାରତକୁ ଫେରାଇ ଆଣିବା ପାଇଁ ସେ ଅନୁରୋଧ କରୁଛନ୍ତି | ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲା ଦୁଇ ଦେଶ ସହ ଜଡିତ ଏବଂ କେବଳ ‘ଉପଯୁକ୍ତ ସ୍ତରରେ’ ନିଷ୍ପତ୍ତି ନିଆଯାଇପାରିବ, ତେଣୁ ଏହାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି।

ad-week
Leave A Reply

Your email address will not be published.