
ଅମୃତସର: ଦୁର୍ନୀତି ଅଭିଯୋଗରେ ଫସିଥିବା ପଞ୍ଜାବର ଉଦ୍ୟାନ କୃଷି ବିଭାଗର ମନ୍ତ୍ରୀ ଫୌଜା ସିଂହ ସରାରି ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହଙ୍କୁ ନିଜର ଇସ୍ତଫାପତ୍ର ପଠାଇଥିବା ବେଳେ ଏହାକୁ ସେ ଗ୍ରହଣ କରି ନେଇଛନ୍ତି।
ପ୍ରାୟ ମାସକ ତଳେ ଗୋଟିଏ ଅଡିଓ କ୍ଲିପ ଭାଇରାଲ ହୋଇଥିଲା। ଏଥିରେ ଟଙ୍କା ପାଇଁ ଶ୍ରୀ ସିଂହ ଡିଲ୍ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ସେ ମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।
ମନ୍ତ୍ରୀ ପଦରୁ ଇସ୍ତଫା ପଛର କାରଣ ଜଣାପଡ଼ିନି। ସେ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣରୁ ମନ୍ତ୍ରୀ ପଦ ଛାଡ଼ୁଥିବା କହିଛନ୍ତି। ଏଥିସହ ସେ ଦଳର ଜଣେ ବିଶ୍ୱସ୍ତ ସୈନ୍ୟ ଓ ସବୁବେଳେ ଦଳ ସହ ରହିବେ ବୋଲି ମଧ୍ୟ କହିଛନ୍ତି। ଜଣେ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ଭାବେ ଜଣାଣୁଣା ଶ୍ରୀ ସିଂହ ଗୁରୁ ହର ସାହି ଆସନରୁ ଜିତି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଅକାଳୀ ଦଳର ବରଦେବ ସିଂହଙ୍କୁ ୧୦,୫୭୪ ଖଣ୍ଡ ଭୋଟରେ ହରାଇଥିଲେ।
ଫୌଜା ସିଂହଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମାନ ତାଙ୍କ ମନ୍ତ୍ରିମଣ୍ଡଳରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ବିଧାୟକ ଡା ବଲବୀର ସିଂହ ରାଜ୍ୟର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଚେତନ ସିଂହଙ୍କୁ ଡିଫେନ୍ସ ସିର୍ଭିସ, ଫୁଡ ପ୍ରୋସେସିଂ, ଉଦ୍ୟାନ କୃଷି ଓ ସ୍ୱାଧୀନତା ସଂଗ୍ରାମୀ ବିଭାଗ ମିଳିଛି। ଗୁରମିତ ସିଂହ ହାୟେର ଜଳ ଭିତ୍ତିଭୂମି, ମାଇନ୍ସ, ଜିଓଲୋଜି, ବିଜ୍ଞାନ ଓ ପରିବେଶ ବିଭାଗ ସହ କ୍ରୀଡ଼ା ଏବଂ ଯୁବ ବ୍ୟାପର ମନ୍ତ୍ରୀ ହୋଇଛନ୍ତି। ବୈଷୟକି ଶିକ୍ଷା ମନ୍ତ୍ରୀ ପଦ ହରଜୋତ ସିଂହଙ୍କୁ ମିଳିଛି।