ପିକ୍‌ନିକ୍‌ରୁ ଫେରିବା ବାଟରେ ସଂଜ୍ଞାହୀନ ହେଲେ ୭ ଛାତ୍ରୀ

add-all

ପଟ୍ଟାମୁଣ୍ଡାଇ: ସାଙ୍ଗମାନଙ୍କ ସହ ମଜାମସ୍ତି କରିବା ସହ ପିକ୍‌ନିକ୍‌ର ମଜା ନେବାକୁ କଟକରୁ ରାଜନଗର ପେଣ୍ଠ ବେଳା ଭୂମିକୁ ଯାଇଥିଲେ ପ୍ରାୟ ୫୦ ସ୍କୁଲ ଛାତ୍ରଛାତ୍ରୀ। ହେଲେ ସେଠାରେ ଢେଉ ମାଡ଼ ଖାଇବା ସହ ସନ୍ଧ୍ୟାରେ ଫେରିବା ବେଳେ ଥଣ୍ଡା ପବନରେ ଗୁରୁତର ହୋଇ ପଡ଼ିଲେ ୭ ଛାତ୍ରୀ। ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ରାତିରେ ନିଜ ଘରକୁ ଫେରିଥିବା ଜଣାଯାଇଛି।

ଗତକାଲି କଟକ ତୁଳସୀପୁରସ୍ଥିତ ବାପୁଜୀ ଶିକ୍ଷା ନିକେତନର ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପିକନିକ କରିବା ପାଇଁ ରାଜନଗର ପେଣ୍ଠ ବେଳାଭୂମିକୁ ଯାଇଥିଲେ।  ସେଠାରେ ସେମାନେ ମଜାମସ୍ତି କରିଥିବା ବେଳେ ସମୁଦ୍ର ଢେଉରେ ଓଦା ହୋଇଥିଲେ। ଏହାପରେ ଓଦା ଡ୍ରେସ୍‌ରେ ବସ୍‌ରେ ବସି ସନ୍ଧ୍ୟା ସମୟରେ ଫେରୁଥିବା ବେଳେ ଥଣ୍ଡା ପବନ ମାଡ଼ ବି ଖାଇଥିଲେ।

ଫଳରେ ରାଜନଗରରୁ ପଟ୍ଟାମୁଣ୍ଡାଇରେ ପହଞ୍ଚୁ ପହଞ୍ଚୁ ପ୍ରାୟ ୭ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବା ସହ ସେମାନେ ବସ୍‌ରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତୁରନ୍ତ ସମସ୍ତ ୭ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପଟ୍ଟାମୁଣ୍ଡାଇ ମେଡିକାଲ ଅଧିକାରୀଙ୍କ ସମେତ ୩ ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କ ଚିକିତ୍ସା କରିଥିଲେ। ସେଠାରେ ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ରାତିରେ ଘରକୁ ଫେରିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.