ମେମୁ ଟ୍ରେନ ପାଇଁ ରେଳରୋକ…

add-all

ଭଦ୍ରକ: ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ୱରରୁ ପୁରୀକୁ ଗଡ଼ିଲା ମେମୁ ଟ୍ରେନ୍‌। ଏହାଦ୍ୱାରା ସ୍ୱାଭିମାନରେ ଆଞ୍ଚ ଆସୁଥିବା ଦର୍ଶାଇ ତଥା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହି ଆଜି ତାତିଛନ୍ତି ଭଦ୍ରକର ସାଧାରଣ ଲୋକେ । ଶତାଧିକ ସଂଖ୍ୟାରେ ସ୍ଥାନୀୟ ଲୋକେ ଆଜି ଭଦ୍ରକ ଡଗରସାହି ଚେକଗେଟ ନିକଟରେ ଏକ ମାଲବାହୀ ଟ୍ରେନ୍‌କୁ ଅଟକାଇଥିଲେ। ଅଧ ଘଣ୍ଟା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲେ ବି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରତି ମାସ ୬ ତାରିଖରେ ରେଳରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଆଜି ସକାଳେ ପୂର୍ବତନ ବିଧାୟକ ନରେନ ପଲ୍ଲାଇ ଓ ଚରମ୍ପା ବାସିନ୍ଦାଙ୍କ ପକ୍ଷରୁ  ଚରମ୍ପା, ଡଗରାସାହି ଚେକଗେଟ ନିକଟରେ ଏକ ମାଲବାହୀ ଟ୍ରେନ୍‌କୁ ଅଟକାଇଥିଲେ ଲୋକେ। ରେଳ ଧାରଣାକୁ ଓହ୍ଲାଇ ଲୋକେ ସ୍ଲୋଗାନ ଦେବା ସହ ପ୍ରତିବାଦ କରିଥିଲେ।  ଏହି ସମୟରେ କିଛି ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା।

ଖୋର୍ଦ୍ଧା ରେଳବାଇ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ମାସେ ମଧ୍ୟରେ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏହାପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ରେଳବାଇ ପ୍ରତିଶ୍ରୁତି ପୂରଣ ନ କଲେ ଆଗାମୀ ୬ ତାରିଖରେ ପୁଣି ଥରେ ରେଳରୋକ ହେବ ବୋଲି ଚେତାବନୀ ଦିଆଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଜଳେଶ୍ୱରରୁ ଟ୍ରେନ ଆସୁଥିବାରୁ ଭଦ୍ରକରେ ପହଞ୍ଚିବା ବେଳକୁ ଭିଡ଼ ହୋଇ ଯାଉଛି। ଏହାଦ୍ୱାରା ଭଦ୍ରକବାସୀ ହଇରାଣ ହେଉଛନ୍ତି। ତେଣୁ ତୁରନ୍ତ ଭଦ୍ରକରୁ ଟ୍ରେନ୍‌ ଚଳାଚଳ କରୁ ବୋଲି ପୂର୍ବତନ ବିଧାୟକ ନରେନ ପଲ୍ଲାଇ ଦାବି କରିଛନ୍ତି।

ad-week
Leave A Reply

Your email address will not be published.