୬ ବର୍ଷୀୟ ରୁଦ୍ର ସେଠି ବିନା ବିଶ୍ରାମରେ ଦୌଡ଼ୁଛନ୍ତି ୧୭ କି.ମି.

add-all

ଆଉଜଣେ ବୁଦ୍ଧିଆ….

ମାଲକାନଗିରି: ଓଡ଼ିଶା ଦେଖିବ ଆଉ ଏକ ବୁଦ୍ଧିଆ ସିଂ। ଠିକ୍‌ ବୁଦ୍ଧିଆ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ଜଣେ କୁନି ଆଥଲେଟ୍‌ । ଏହି ଆଥଲେଟଜଣକ ହେଉଛନ୍ତି ମାଲକାନଗିରିର ୬ ବର୍ଷୀୟ ରୁଦ୍ର ସେଠି।  ସେ ଏବେ ମାଲକାନଗିରିର ବୁଦ୍ଧିଆ ସିଂ ଭାବେ ବେଶ୍‌ ପରିଚିତ ହୋଇ ସାରିଲେଣି।

ଯେଉଁ ବୟସରେ ମାଟିରେ ଖେଳିବା କଥା ସେ ବୟସରେ ସେ ନନ୍‌ଷ୍ଟପ ଦୌଡ଼ୁଛନ୍ତି । ବିନା ବିଶ୍ରାମରେ ରୁଦ୍ର ଦୌଡ଼ି ପାରୁଛନ୍ତି ୧୭ କି.ମି.। ୧୭ କି.ମି. ଦୌଡ଼ିବା ପରେ ବି ଏହି କୁନି ବାଳକଟି କୌଣସି ଥକ୍କାପଣ ଅନୁଭବ କରି ନ ଥିବା କହିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଏପରି ଅଭ୍ୟାସ ଜାରି ରଖିଲେ ଆଗାମୀ ଦିନରେ ରୁଦ୍ର ଜଣେ ବହୁତ ବଡ଼ ଆଥଲେଟ ହୋଇ ବାହାରିବ ବୋଲି ସମସ୍ତେ ଆଶା ରଖିଛନ୍ତି। ରୁଦ୍ର ଏବେ ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି ।

ମାଲକାନଗିରିର  ପ୍ରସିଦ୍ଧ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ସକାଳେ ଆୟୋଜିତ ହୋଇଥିଲା ମାରାଥନ ଦୌଡ଼ । ଏହି ଦୌଡ଼ ପ୍ରତିଯୋଗିତା କର୍କୁଣ୍ଡାରୁ ବୁଟିଗୁଡ଼ା ସ୍କୁଲ ମାଲକାନଗିରି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।  ସେମାନଙ୍କ ମଧ୍ୟରେ ରୁଦ୍ର ବି ସାମିଲ ଥିଲା,  ଯିଏ କି ଥିଲା ମୁଖ୍ୟ ଆକର୍ଷଣ ।

ସମସ୍ତଙ୍କ ସହ ତାଳ ଦେଇ ରୁଦ୍ର ବି ବିନା କୌଣସି ରେଷ୍ଟରେ ଦୌଡ଼ିଲା ୧୭ କିମି । ଏପରିକି ଏତେ ବାଟ ଦୌଡ଼ିବା ପରେ ବି ସେ କୌଣସିପ୍ରକାର ହାଲିଆ କି ଥକ୍କାପଣ ଅନୁଭବ କରି ନ ଥିଲା।

ରୁଦ୍ର ଅଚାନକ  ଏପରି ୧୭ କିମି ଦୌଡ଼ି ନାହାନ୍ତି। ୩ ବର୍ଷ ବୟସରୁ ସେ ଏଥିନିମନ୍ତେ ଅଭ୍ୟାସ କରିଛନ୍ତି। ସକାଳୁ ଉଠିବା ପରେ ରୁଦ୍ରଙ୍କ ଦିନର ପ୍ରଥମ କାମ ହେଉଛି ରନିଂ । ସେ ସକାଳେ ୩ରୁ ୪ କିମି ଓ ସନ୍ଧ୍ୟାରେ ବି ୩ରୁ ୪ କିମି ଦୌଡ଼ନ୍ତି।

ରୁଦ୍ରଙ୍କ ଅଜା ରବୀନ୍ଦ୍ର ପୁଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ସେ ପିଲାମାନଙ୍କୁ ଖେଳ ପ୍ରଶିକ୍ଷଣ ଦେଇଥାନ୍ତି। ନିଜ ନାତିର ଏପରି ସଫଳତାରେ ବେଶ୍‌ ଖୁସି ଥିବ ତାଙ୍କ ଅଜା । ଏଥିନିମନ୍ତେ ରୁଦ୍ର ପ୍ରତିଦନ ସକାଳେ ଓ ସନ୍ଧ୍ୟାବେଳେ ୧୦ କିମି ପାଖାପାଖି ଦୌଡ଼ୁଥିବା ସେ କହିଛନ୍ତି। ଏଥିସହ କିଛି ସରକାରୀ ସହାୟତା ମିଳିଲେ ନାତିକୁ ଅଧିକ ପ୍ରଶିକ୍ଷଣ ଦେଇ ବଡ଼ ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶର ପ୍ରତିନିଧୀତ୍ୱ କରିପାରିବେ ବୋଲି କହିଛନ୍ତି।

ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କହିଛନ୍ତି, ଏହି ମାରାଥନର ମୁଖ୍ୟ ଆକର୍ଷଣ ହେଉଛନ୍ତି ରୁଦ୍ର । ମାଲକାନଗିରିରୁ ଆଉ ଜଣେ ବୁଦ୍ଧିଆ ତିଆରି ହେବ ବୋଲି ଆଶା ଅଛି।

ad-week
Leave A Reply

Your email address will not be published.