
ନୂଆଦିଲ୍ଲୀ: ଜେଲରେ ଜୀବନ କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥିରେ ଦିଲ୍ଲୀରେ କ୍ଷମତାସୀନ ଆପ୍ ସରକାରକୁ ଟାର୍ଗେଟ କରିଛି। ସେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଜେଲରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଉଭୟ ତାକୁ କୁଆଡ଼େ ଜେଲ ଭିତରେ ମାନସିକ ନିର୍ଯାତନା ଦେଉଥିବା ସେ ଚିଠିରେ ଅଭିଯୋଗ କରିଛି।
ସୁକେଶ ତା’ର ନୂଆ ଚିଠିରେ ଦାବି କରିଛି ଯେ “ସତ୍ୟେନ୍ଦ୍ର ଜୈନ ତାକୁ ହଇରାଣ କରୁଛନ୍ତି। ଏଥିସହ କେଜ୍ରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ କରିଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି। ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ମୋତେ ୪୮ ଘଣ୍ଟାର ମହଲତ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ କେଜ୍ରିୱାଲ ଓ ଜୈନଙ୍କ ବିରୋଧରେ ରୁଜୁ ମାମଲାକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଏଥିସହ ପ୍ରମାଣ ନଷ୍ଟ କରିବାକୁ ଧମକ ମିଳିଛି। ଜେଲ କର୍ମଚାରୀ ଓ ଅଧିକାରୀମାନେ ମୋତେ ନିର୍ଯାତନା ଦେଉଛନ୍ତି।”
ଡିସେମ୍ବର ୩୧ରେ ସୁକେଶ ଲେଖିଥିବା ଚିଠିରେ କହିଛି ଯେ “ଜେଲ ଅଧିକ୍ଷକ ରାଜ କୁମାରଙ୍କ ଜରିଆରେ ଜୈନ ମୋ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ ମୋତେ କର୍ଣ୍ଣାଟକାରେ ନିର୍ବାଚନ ଲଢ଼ିବାକୁ ଆପ୍ ଟିକେଟ ଦେବ ଓ ପଞ୍ଜାବରେ ଖଣି ଖନନ ପାଇଁ ଲାଇସେନ୍ସ ମିଳିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଏହା ବଦଳରେ ମିଡିଆ ଓ ଉଚ୍ଚସ୍ତରୀୟ କମିଟିକୁ ମୁଁ ଦେଇଥିବା ବିବୃତିକୁ ପ୍ରତ୍ୟାହାର କରିନେବାକୁ ସର୍ତ୍ତ ରଖାଯାଇଥିଲା। ଏହବାଦ ଜୈନ ଓ ମୋ ମଧ୍ୟରେ ହୋଇଥିବା ଆଲୋଚନାର ସ୍କ୍ରିନଶଟ, ଚ୍ୟାଟ୍ସ ଓ ଭଏସ ରେକର୍ଡିଂକୁ ମଧ୍ୟ ହସ୍ତାନ୍ତର କରିବାକୁ ସେ ମୋତେ କହିଥିଲେ। ଜୈନ ମୋତେ ଧମକ ଦେଇଛନ୍ତି ଯେ ସେ କ୍ଷମତା ବଳରେ ମୋତେ ଅଲଗା ଗୋଟିଏ ଜେଲକୁ ବଦଳ କରି ଦେବେ। ସେଠାରେ ମୋତେ ମାନସିକ ନିର୍ଯାତନା ଦିଆଯିବ। ଶେଷରେ ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି।”
୨୦୦ କୋଟି ଠକେଇ ମାମଲାରେ ସୁକେଶ ଦୀର୍ଘଦିନ ହେଲା ଜେଲରେ ରହିଛି। ଏସବୁ ଭିତରେ ସେ ବାରମ୍ବାର ଆପ୍ ଓ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଏପରି ଅଭିଯୋଗ କରି ଚାଲିଛି।