ଘନ କୁହୁଡ଼ି ଯୋଗୁ ଚିଲିକାରେ ଫସିଲା ୪ ଡଙ୍ଗା

add-all

କୃଷ୍ଣପ୍ରସାଦ: ଘନ କୁହୁଡ଼ିରେ ଆଚ୍ଛାଦିତ ଚିଲିକାର ଅଥଳ ଜଳରାଶିରେ ଫସିଲା ୪ ଡଙ୍ଗା । ଫଳରେ ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ। ଘନ କୁହୁଡ଼ି ଯୋଗୁ ଆଜି ସକାଳେ ଚିଲିକାରେ ୪ଟି ଡଙ୍ଗା ଫସି ଯାଇଥିବା ବେଳେ ଗୋଟିଏ କୂଳକୁ ଫେରିଥିବା ଜଣାଯାଇଛି।

ଆଜି ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଚିଲିକା ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥିଲା। ୧୦ ମିଟିର ଦୂର ପର୍ଯ୍ୟନ୍ତ ବି କିଛି ଦୃଶ୍ୟମାନ ହେଉ ନ ଥିଲା। ଏପରି ସ୍ଥିତିରେ ୨୦ ଜଣ ଯାତ୍ରୀଙ୍କୁ ନେଇ ସକାଳ ପ୍ରାୟ ୮ଟା ବେଳେ ଏକ ଡଙ୍ଗା କୃଷ୍ଣପ୍ରସାଦ ଜେଟିରୁ କାଳିଜାଇ ପୀଠ ଅଭିମୁଖେ ବାହାରିଥିଲା। ସାଧାରଣତଃ କୃଷ୍ଣପ୍ରସାଦ ଜେଟିରୁ କାଳିଜାଇ ପୀଠର ଦୂରତା ୫ କିମି ହୋଇଥିବା ବେଳେ ସେଠାରେ ପହଞ୍ଚିବାକୁ ପ୍ରାୟ ୨୦ ମିନିଟ୍‌ ଲାଗିଥାଏ। ମାତ୍ର ମଝି ଚିଲିକାରେ ପହଞ୍ଚିବା ପରେ କିଛି ଦୃଶ୍ୟମାନ ନ ହେବାରୁ ଡଙ୍ଗାଟି ଆଉ କୁଆଡ଼େ ଯାଇପାରିଲାନି। ଫଳରେ ଦୀର୍ଘ ସମୟ ସେଠାରେ ଡଙ୍ଗାଟି ଫସି ରହିଥିଲା। ଯାତ୍ରୀମାନେ ଡରି ଯାଇଥିଲେ। ଖବର ପାଇ ଆଉ ଏକ ଡଙ୍ଗା ପହଞ୍ଚି ତାକୁ ବାଟ କଢ଼ାଇ କୂଳକୁ ନେଇଥିବା ଜଣାପଡ଼ିଛି।  ସେହିପରି ବାଲୁଗାଁ ପଟୁ କାଳୀଜାଇ ପୀଠକୁ ଯାଉଥିବା ୩ଟି ଡଙ୍ଗା ମଧ୍ୟ ଘନ କୁହୁଡ଼ି ଯୋଗୁ ଚିଲିକାରେ ଦୀର୍ଘ ସମୟ ଫସି ରହିଥିଲେ ବୋଲି ଜଣାଯାଇଛି।

ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ କୁହୁଡ଼ି ନ କମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳକୁ ବନ୍ଦ କରି ଦେଇଛି ପ୍ରଶାସନ। ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ କଟକଣା ଲଗାଯାଇଥିବା ବାଲୁଗାଁ ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.