ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ପତ୍ନୀ, ସାଂଘାତିକ ଅଭିଯୋଗ କଲେ ଶ୍ୱଶୁର…

add-all

କଟକ : ପୁଣି ଥରେ ପଦାରେ ପଡ଼ିଲା ଷ୍ଟାର କଳି। ମୀମାଂସା ପାଇଁ ଉଭୟ ପକ୍ଷ ଥାନାରେ ପହଞ୍ଚିଲେ। ଓଲିଉଡର ଆଗ ଧାଡ଼ିର ସିଙ୍ଗର ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳହ ଏବେ ଥାନାରେ ପହଞ୍ଚିଛି। ପୁଲିସ୍‌ଠାରୁ ସମନ ପାଇ ମୀମାଂସା ନିମନ୍ତେ ଆଜି କଟକ ମହିଳା ଥାନାରେ ପହଞ୍ଚିଛନ୍ତି ଉଭୟ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହ୍ୟୁମାନ ସାଗର ମହିଳା ଥାନାରେ ପହଞ୍ଚିଥିବା ବେଳେ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ପ୍ରାୟ ଘଣ୍ଟାଏ ବିଳମ୍ବରେ ଥାନାରେ ପହଞ୍ଚିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି।
ଉଭୟ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗତ କିଛି ମାସ ଧରି ଲାଗି ରହିଥିବା ବିବାଦ ଏବେ ସର୍ବସମ୍ମୁଖକୁ ଆସିଛି। ଉଭୟ ପତିପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହେତୁ ପ୍ରାୟ ୫ ମାସ ହେବ ହ୍ୟୁମାନ ସାଗରଙ୍କ ପତ୍ନୀ ଘର ଛାଡ଼ି ଝିଅ ସହ ବାପ ଘରେ ରହୁଛନ୍ତି।
ଗତକାଲି ଶ୍ରୀୟା କରିଥିବା ଅଭିଯୋଗରେ ହ୍ୟୁମାନ ସାଗର ତାଙ୍କୁ ନିଶାସକ୍ତ ଅବସ୍ଥାରେ ମାରପିଟ ତଥା ଗାଳିଗୁଲଜ କରୁଥିବା କହିଥିଲେ। ଏହି ଘଟଣାର ସମାଧାନ ପାଇଁ ଆଜି ମହିଳା ଥାନା ପୁଲିସ୍‌ ଉଭୟ ପକ୍ଷଙ୍କୁ ଡାକିଛି। ଫ୍ୟାମିଲି କାଉନସେଲରଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି।
ଆଜି ହେଉଥିବା ଆଲୋଚନା ସଫଳ ନ ହେଲେ ଶ୍ରୀୟା ମିଶ୍ର ନିଜ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ଘଟଣାର ଆପୋସ ସମାଧାନ ହେଉ ବୋଲି ହ୍ୟୁମାନ ଚାହୁଁଥିବା ବେଳେ ତାଙ୍କ ପତ୍ନୀ କିନ୍ତୁ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।
ଶ୍ରୀୟାଙ୍କ ବାପା କହିଛନ୍ତି, ଝିଅ ନିର୍ଯାତିତା ହୋଇଥିବାରୁ ଥାନା ଦ୍ୱାରସ୍ଥ ହୋଇଛନ୍ତି। ପ୍ରାୟ ୫ ବର୍ଷ ହେବ ଜ୍ୱାଇଁ ମୋ ଝିଅକୁ ମାରପିଟ କରୁଥିଲେ। ଛୁଆ ଜନ୍ମ ହେବା ପରଠୁ ନିର୍ଯାତନାର ମାତ୍ରା ବଢ଼ି ଯାଇଥିଲା। ବୁଝାସୁଝା କରିବାରୁ ତାହା ଫଳପ୍ରଦ ହେଉ ନ ଥିଲା।
୫ ମାସ ତଳେ ଝିଅକୁ ପ୍ରବଳ ମାରପିଟ କରିବାରୁ ତା’ଠୁ ଫୋନ ପାଇ ଆମେ ତାକୁ ଘରକୁ ନେଇ ଆସିଥିଲୁ। ସେତେବେଳେ ହ୍ୟୁମାନ ଓ ତାଙ୍କ ମା’ ଆମକୁ ଦୁର୍ବ୍ୟବହାର କରିଥିଲେ। ହ୍ୟୁମାନ ସବୁବେଳେ ନିଶାସକ୍ତ ରହୁଥିବାରୁ ତାଙ୍କୁ ବାଟକୁ ଫେରାଇ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲୁ ବୋଲି କହିଛନ୍ତି ଶ୍ରୀୟାଙ୍କ ବାପା ।
ଶ୍ରୀୟାଙ୍କୁ ଆଉ ଶାଶୂ ଘରକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ତାଙ୍କ ବାପା । ସେଠାରେ ଝିଅର ଜୀବନ ପ୍ରତି ବିପଦ ଥିବାରୁ ସେ କୌଣସି ପ୍ରକାର ବୁଝାମଣା ଚାହୁଁନାହାନ୍ତି। ତେଣୁ ଝିଅକୁ ନ୍ୟାୟ ମିଳିବା ସହ ହ୍ୟୁମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ।

ad-week
Leave A Reply

Your email address will not be published.