କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ମହିଳା ସେନା ଅଧିକାରୀ…

add-all

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା ଚଳାଇଥିବା କଥା ସେନା ଅଧିକାରୀମାନେ କହିଛନ୍ତି।
ସେନାର ପୁରୁଷ ଅଧିକାରୀମାନଙ୍କ ସହିତ ମହିଳା ଅଧିକାରୀମାନଙ୍କୁ ସମକକ୍ଷ କରିବା ନିମନ୍ତେ ୨୦୨୩ ଜାନୁଆରି ୨ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଖାଲି ପଡ଼ିଥିବା ୧୦୮ ପଦବୀ ପାଇଁ ସମୁଦାୟ ୨୪୪ଜଣ ମହିଳା ଅଧିକାରୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥିନୀମାନଙ୍କୁ ମନୋନୟନ କରାଯିବ। ୧୯୯୨ରୁ ୨୦୦୬ ବ୍ୟାଚ୍‌ ମଧ୍ୟର ଏହି ମହିଳା ଅଧିକାରୀମାନେ ‘ଆର୍ମସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ଇଞ୍ଜିନିୟରିଙ୍ଗ୍‌, ସିଗ୍‌ନାଲ୍‌ସ୍‌, ଆର୍ମି ଏୟାର୍‌ ଡିଫେନ୍‌ସ୍‌, ଇଣ୍ଟେଲିଜେନ୍‌ସ୍‌ କର୍ପସ୍‌’, ‘ଆର୍ମି ସର୍ଭିସ୍‌ କର୍ପସ୍‌’, ‘ଆର୍ମି ଅର୍ଡିନାନ୍‌ସ୍‌ କର୍ପସ୍‌’ ଏବଂ ‘ଇଲେକ୍ଟ୍ରିକାଲ୍‌ ଆଣ୍ଡ୍‌ ମେକାନିକାଲ୍‌ ଇଞ୍ଜିନିୟର୍ସ’ ବିଭାଗର।
ଭାରତୀୟ ସେନାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ନିମନ୍ତେ ଓ ପ୍ରଭାବିତ ମହିଳା ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ନିମନ୍ତେ ସରକାର ଏହି ‘ସ୍ପେସାଲ୍‌ ନମ୍ବର ୩ ସିଲେକ୍ସନ୍‌ ବୋର୍ଡ’ ପାଇଁ ପଦବୀ ଖାଲି ପଡ଼ିଥିବା କଥା ଘୋ‌ଷଣା କରିଥିଲେ।
ମନୋନୟନ ପ୍ରକ୍ରିୟା ନିରପେକ୍ଷ ବୋଲି ସୁନିଶ୍ଚିତ ହେବା ଓ ଏଥି ପ୍ରତି ଯଦି କୌଣସି ସନ୍ଦେହ ଥାଏ ତାହା ଦୂର କରିବା ନିମନ୍ତେ ଏହି ‘ସିଲେକ୍‌ସନ୍‌ ବୋର୍ଡ’ ନିମନ୍ତେ ସମୁଦାୟ ୬୦ଜଣ ପ୍ରଭାବିତ ମହିଳା ଅଧିକାରୀଙ୍କୁ ନିରୀକ୍ଷକଭାବେ ସାମିଲ କରାଯାଇଛି।
ମନୋନୟନ ବୋର୍ଡଦ୍ବାରା ଉପଯୁକ୍ତ ବିବେଚିତ ୧୦୮ଜଣ ମହିଳା ଅଧିକାରୀମାନଙ୍କୁ ବିଭିନ୍ନ ‘କମାଣ୍ଡ୍‌ ଆସାଇନ୍‌ମେଣ୍ଟ୍‌’ରେ ନିଯୁକ୍ତି ମିଳିବ। ଚଳିତ ଜାନୁଆରି ଶେଷ ସୁଦ୍ଧା ଏହି ମନୋନୟନର ପ୍ରାରମ୍ଭିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବ‌ୋଲି ସେନା ଅଧିକାରୀମାନେ କହିଛନ୍ତି।

ad-week
Leave A Reply

Your email address will not be published.