
ନୂଆଦିଲ୍ଲୀ: ମନୋରଞ୍ଜନ ପାର୍କ ଏକ ମଜାଦାର ସ୍ଥାନ, ଯେଉଁଠାରେ ଲୋକମାନେ ଭରପୂର ଆନନ୍ଦ ନେଇଥାଆନ୍ତି। ଏଠାରେ ବିଭିନ୍ନ ପ୍ରକାର ଦୋଳି ଲାଗିଥାଏ। ସମୟସମୟରେ ଏହି ଦୋଳିକୁ ନେଇ ଅନେକ ଘଟଣା ଓ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥାଏ। ଏମିତି କି ଦୋଳିରୁ ଖସି ପଡ଼ି ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ଖବର ବି ମିଳିଛି।
ସମ୍ପ୍ରତି ଚାଇନାର ଅନହୁଇ ରାଜ୍ୟର ଫୁୟାଙ୍ଗ ସହରର ଏକ ମନୋରଞ୍ଜନ ପାର୍କରୁ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ପେଣ୍ଡୁଲମ୍ ଦୋଳିରେ କିଛି ଲୋକ ବସିଥିଲେ। ହଠାତ ଏହି ଦୋଳିଟି ଉପରେ ଅଟକି ଯାଇଥିଲା। ଫଳରେ ପବନରେ ୧୦ ମିନିଟ ପର୍ଯ୍ୟନ୍ତ ଲୋକେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରିଥିଲେ, ଆଉ ଭୟରେ ଭୋଭୋ ହୋଇ କାନ୍ଦୁଥିଲେ। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଘଟଣା ଟି ଜାନୁଆରି ୧୯ ତାରିଖରେ ଘଟିଥିବା ସୂଚନା ମିଳିଛି।
କୁହାଯାଉଛି ଯେ ଚାଇନର ମନୋରଞ୍ଜନ ପାର୍କରେ ଉପସ୍ଥିତ ଥିବା କର୍ମଚାରୀମାନେ ଏହି ବିରାଟ ପେଣ୍ଡୁଲମ୍ ଦୋଳିକୁ ଠିକ୍ କରିବାକୁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ବିଫଳ ହୋଇଥିଲେ। ଯାହାପରେ କଣ୍ଟ୍ରୋଲ୍ ରୁମକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଅଧିକାରୀମାନେ ବହୁ ଚେଷ୍ଟା କରି ଦୋଳିକୁ ଠିକ୍ କରିଥିଲେ। ଫଳରେ ସୁରକ୍ଷିତ ଭାବେ ଦୋଳିରେ ଥିବା ଲୋକେ ତଳକୁ ଓହ୍ଲାଇଥିଲେ। ଏହି ଘଟଣାକୁ ନେଇ ପାର୍କ ଅଧିକାରୀ କହିଛନ୍ତି, ‘ ଯେ ଦୋଳିରେ ଲୋକଙ୍କ ସଂଖ୍ୟା ଅଧିକ ଥିଲା, ଓଜନ ସୀମା ଅତିକ୍ରମ କରିଥିବାରୁ ଏପରି ଘଟଣା ଘଟିଥିଲା।
ମନୋରଞ୍ଜନ ପାର୍କ କର୍ତ୍ତୃପକ୍ଷ ମଧ୍ୟ ପ୍ରଭାବିତ ପର୍ଯ୍ୟଟକଙ୍କୁ ସେମାନଙ୍କ ସମସ୍ତ ଟଙ୍କା ଫେରସ୍ତ କରିବା ସହିତ ଏହି ଘଟଣାରେ ଆହତଙ୍କ ଚିକିତ୍ସା ଖର୍ଚ୍ଚରେ ବି ସହାୟତା କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି।