
କୋଇମ୍ବାଟୁର୍: ଶନିବାର ଦିନ ତାଣ୍ଡାନ୍ଗାମ୍ରେ ଆୟୋଜିତ ବାର୍ଷିକ ଜାଲିକାଟ୍ଟୁ କ୍ରୀଡ଼ାରେ ଷଣ୍ଢ ଭୁସି ଦେବାରୁ ଜଣେ ଷଣ୍ଢ ମାଲିକଙ୍କ ୧୪ ବର୍ଷିୟ ପୁଅର ମୃତ୍ୟୁ ଘଟିଛି। ଏହି କ୍ରୀଡ଼ାରେ ୬୮ଜଣ ଅଂଶ ଗ୍ରହଣକାରୀ ମଧ୍ୟ ଆହତ ହୋଇଛନ୍ତି।
କ୍ରୀଡ଼ାର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରି ପାରି ନ ଥିଲେ। ମାଲିକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଷଣ୍ଢଟି ପାଲାକୋଡ୍ର ଏସ୍. ଗୋକୁଳ ନାମରେ ଜଣେ ୧୪ ବର୍ଷିୟ ବାଳକର ପେଟରେ ଭୁସି ଦେଇଥିଲା। ପିଲାଟି ପ୍ରସ୍ଥାନ ଫାଟକ ନିକଟରେ ତାଙ୍କ ଷଣ୍ଢକୁ ଅପେକ୍ଷା କରି ଠିଆ ହୋଇଥିଲା।
ସଂଗୃହୀତ ସୂଚନା ଅନୁସାରେ, ଚିକିତ୍ସା ପାଇଁ ଗୋକୁଳକୁ ତୁରନ୍ତ ଧରମପୁରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।
ଧରମପୁରୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗୋକୁଳ ଠିକ୍ କେମିତି ଆହତ ହେଲା, ତାହା ଜାଣିବା ଲାଗି ‘ସିସିଟିଭି ଫୁଟେଜ୍’ ଯାଞ୍ଚ କରୁଛି।
ଗୋକୁଳକୁ ମିଶାଇ ଚଳିତ ବର୍ଷ ଜାଲିକାଟ୍ଟୁରେ ୪ଜଣଙ୍କର ମୃତ୍ୟୁ ଘଟିଲାଣି।
ତାମିଲନାଡୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏମ୍ଆର୍କେ ପନ୍ନୀରସେଲ୍ବମ୍ଙ୍କଦ୍ବାରା ଉଦ୍ଘାଟିତ ଏହି ଜାଲିକାଟ୍ଟୁ କ୍ରୀଡ଼ାରେ ସମୁଦାୟ ୬୨୨ଟି ଷଣ୍ଢ ଓ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସକାଳ ୮ ବେଳେ ୩୫୦ ପ୍ରତିଯୋଗୀଙ୍କୁ ନେଇ କ୍ରୀଡ଼ା ଆରମ୍ଭ ହୋଇଥିଲା। ପ୍ରାଣୀ ପାଳନ ବିଭାଗର ଡାକ୍ତରମାନେ ପ୍ରତ୍ୟେକ ଷଣ୍ଢଙ୍କର ଭଲରୂପେ ଡାକ୍ତରୀ ପରୀକ୍ଷା କରିବା ପରେ ପ୍ରଥମ ଷଣ୍ଢକୁ ବାଡ଼ିବାସାଲ୍ ମଧ୍ୟକୁ ଛଡ଼ାଯାଇଥିଲା।
ଏକାଧିକ ପର୍ଯ୍ୟାୟରେ ଉକ୍ତ କ୍ରୀଡ଼ା ଚାଲିଥିଲା। ଷଣ୍ଢକୁ କାବୁ କରିବା ପାଇଁ ପ୍ରତି ପର୍ଯ୍ୟାୟରେ ଥିଲେ ୪୦ରୁ ୫୦ ପ୍ରତିଦ୍ବନ୍ଦ୍ବୀ। ଏହି ପ୍ରତିଦ୍ବନ୍ଦ୍ବିତାରେ ୧୯ଟି ଷଣ୍ଢଙ୍କୁ କାବୁ କରି ମଦୁରାଇର ୨୫ ବର୍ଷିୟ ଜଗଦୀଶ ଓ କୁଣ୍ଡାତୁର ନିବାସୀ ଦିବାହର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ଭାବେ ଉଭୟଙ୍କୁ ଗୋଟିଏ ଲେଖାଏଁ ୨ଚକିଆ ଯାନ ଦିଆଯାଇଛି। ଏଥିରେ ଶ୍ରେଷ୍ଠ ଷଣ୍ଢ ମାଲିକ ହୋଇଛନ୍ତି ତୁରାୟୁରର ଆନନ୍ଦ। ଦର୍ଶକମାନଙ୍କ ସୁରକ୍ଷା ନିମନ୍ତେ ଏହି କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ସହିତ ଉପସ୍ଥିତ ଥିଲେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଷ୍ଟିଫେନ୍ ଜେସୁପଦମ୍।