ଗ୍ରିଡ୍‌ ଅଚଳ ହୋଇଯିବାରୁ ଇସ୍‌ଲାମାବାଦ୍‌ ସମେତ ପାକିସ୍ତାନର ପ୍ରମୁଖ ସହରରେ ବିଜୁଳି ସରବରାହ ବ୍ୟାହତ

add-all

ଇସ୍‌ଲାମାବାଦ୍‌: ଜାତୀୟ ଗ୍ରିଡ୍‌ରେ ବିଭ୍ରାଟ ଯୋଗୁଁ ଆଜି ସକାଳେ ସମଗ୍ର ପାକିସ୍ତାନରେ ବିଜୁଳି ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିବା କଥା ପାକିସ୍ତାନ ଶକ୍ତି ମନ୍ତ୍ରାଳୟ କହିଛନ୍ତି। ଏ ସଂକ୍ରାନ୍ତରେ ଜାରି ବିବୃତିରେ ଶକ୍ତି ମନ୍ତ୍ରାଳୟ ଲେଖିଛି, ପ୍ରାରମ୍ଭିକ ସୂଚନା ଅନୁସାରେ, ଆଜି ସ୍ଥାନୀୟ ସମୟ ୭.୩୪ରେ ‘ନ୍ୟାସ୍‌ନାଲ୍‌ ଗ୍ରିଡ୍‌’ରେ ‘ଫ୍ରିକ୍ବେନ୍‌ସି’ ନ ରହିବାରୁ ବିଜୁଳି ବିଭ୍ରାଟ ବ୍ୟାପକ ହୋଇଛି। ବିଜୁଳି ଯୋଗାଣ ବ୍ୟବସ୍ଥା ଚାଲୁ କରିବା ଲାଗି ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି।
ଗ୍ରିଡ୍‌ ଅକାମିକା ହୋଇଯିବାରୁ କରାଚୀ, ଇସ୍‌ଲାମାବାଦ, ଲାହୋର ଏବଂ ପେଶାୱାର ଆଦି ପ୍ରମୁଖ ସହରରେ ବିଦ୍ୟୁତ୍‌ ସରବରାହ ବନ୍ଦ ଅଛି। ଶକ୍ତିମନ୍ତ୍ରୀ ଖୁରମ୍‌ ଦସ୍ତାଗିର୍‌ ‘ଜିଓ ଟିଭି ଚାନେଲ୍‌’କୁ କହିଛନ୍ତି, ଆଜି ସକାଳେ ସିଷ୍ଟମ୍‌ଗୁଡ଼ିକୁ ଅନ୍‌ କରାଯିବା ପରେ ଦେଶର ଦକ୍ଷିଣ ପ୍ରାନ୍ତରେ ଥିବା ଜାମଶୋରୋ ଓ ଦାଦୁ ନଗରୀରେ ‘ଫ୍ରିକ୍ବେନ୍‌ସି’ରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥିଲା। ଭୋଲ୍‌ଟେଜ୍‌ ଫ୍ଲକ୍‌ଚୁଏସନ୍‌ ହେବାରୁ ଗୋଟିକ ପରେ ଗୋଟିଏ ସିଷ୍ଟମ୍‌ ବନ୍ଦ କରି ଦିଆଗଲା। ଏହା ବଡ଼ଧରଣର ସଙ୍କଟ ନୁହେଁ। ଦେଶର କେତେକ ଗ୍ରିଡ୍‌ ଏବେ ସଜଡ଼ା ସରିଲାଣି।
କିନ୍ତୁ, ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବା କଥା ଶକ୍ତି ମନ୍ତ୍ରାଳୟ ଘୋଷଣା ପୂର୍ବରୁ ବିଭିନ୍ନ ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥା ସୁନିଶ୍ଚିତ କରିଥିଲେ ବୋଲି ‘ଜିଓ ଟିଭି’ କହିଥିଲା। ‘କ୍ବେଟ୍ଟା ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି’ କହିବା ଅନୁସାରେ, ଗୁଡ୍ଡୁରୁ କ୍ବେଟ୍ଟା ପର୍ଯ୍ୟନ୍ତ ଦୁଇଟି ଟ୍ରାନ୍‌ମିସନ୍‌ ଲାଇନ୍‌ ଟ୍ରିପ୍‌ କରିଯାଇଛି। କ୍ବେଟ୍ଟା ସମେତ ବାଲୋଚିସ୍ତାନର ୨୨ଟି ଜିଲ୍ଲାରେ ବିଜୁଳି ନାହିଁ।
ଲାହୋର ଏବଂ କରାଚୀର ଏକାଧିକ ଅଞ୍ଚଳରେ ମଧ୍ୟ ବିଜୁଳି ନାହିଁ। ଇସ୍‌ଲାମାବାଦରେ ପ୍ରାୟ ୧୧୭ଟି ଗ୍ରିଡ୍‌ରେ ବିଜୁଳି ନାହିଁ। ପେଶାୱାର୍‌ ମଧ୍ୟ ପ୍ରଭାବିତ ହୋଇଛି।

ad-week
Leave A Reply

Your email address will not be published.