ସରସ୍ୱତୀ ମୂର୍ତ୍ତି ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ର; ମେଡିକାଲରେ ଭର୍ତ୍ତି…

youtube

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୫ ଜଣ ହାଇସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସରସ୍ବତୀ ମୂର୍ତ୍ତି ଆଣିବାକୁ ଯାଇଥିଲେ। ଓଲମରା ହାଇସ୍କୁଲରେ ଆସନ୍ତାକାଲି ସରସ୍ଵତୀ ପୂଜା ଥିବାରୁ ଏକ ମାଲବାହୀ ଅଟୋ ସାହାଯ୍ୟରେ ୫ ଜଣ ଛାତ୍ରଙ୍କୁ ନେଇ ପ୍ରଦୀପ କୁମାର ଦାସ ନାମକ ଜଣେ ଶିକ୍ଷକ ରାଇବଣିଆର ମୂର୍ତ୍ତି କାରିଗର ନିକଟକୁ ଠାକୁର ଆଣିବାକୁ ଯାଉଥିଲେ।

ତେବେ ଅଟୋ ଟି ଓଲମରା- ରାଇବଣିଆ ରାସ୍ତାର କଣ୍ଟାବଣି ଛକ ନିକଟରେ ଯାଉଥିବା ବେଳେ ଏହି ଚଳନ୍ତା ଅଟୋ ଆଗକୁ ଜଣେ ଛୋଟ ପିଲା ଦୌଡି ଆସିଥିଲା। ଅଟୋ ଚାଳକ ଜଣକ ଭୟଭୀତ ହୋଇ ବ୍ରେକ ମାରିବାରୁ ଅଟୋଟି ଓଲଟି ପଡିଥିଲା। ଫଳରେ ଅଟୋର ଡାଲାରେ ବସି ଯାଉଥିବା ଦଶମ ଶ୍ରେଣୀର ଛାତ୍ର ଅଞ୍ଜନ ମହାପାତ୍ର,ଶିବ ସୁନ୍ଦର ଦାସ,ରାଜେନ୍ଦ୍ର ବେହେରା, ଶିବଶଙ୍କର ପ୍ରଧାନ ଓ ନବମ ଶ୍ରେଣୀ ଛାତ୍ର ସଞ୍ଜୟ ବେହେରା ଗୁରୁତର ହୋଇଥିଲେ।ଛାତ୍ରମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ଅଞ୍ଜନ ଓ ଶିବ ସୁନ୍ଦରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ପରେ ଅଟୋ ଚାଳକ ଅଟୋ ସହ ସେଠାରୁ ଖସି ପଳାଇଛି।

Leave A Reply

Your email address will not be published.