
ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଟୁଇଟ୍ର ଆକାଉଣ୍ଟରେ ଲେଖିଛନ୍ତି ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ମୁଁ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ନବ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ଗଭୀର ମର୍ମାହତ ହୋଇଛନ୍ତି। ସ୍ବର୍ଗତ ଶ୍ରୀ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଉଭୟ ସରକାର ଓ ଦଳ ପାଇଁ ମୂଲ୍ୟବାନ ଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରବଳ ଉଦ୍ୟମ କରିଥିଲେ। କିନ୍ତୁ ପ୍ରଗାଢ଼ ଚେଷ୍ଟା ସତ୍ତ୍ବେ ମେଡିକାଲ ବିଶେଷଜ୍ଞ ଟିମ୍ ବଞ୍ଚାଇ ପାରି ନଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା କାଳରେ ନବ ଦାସ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଜେଡିକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଦଳମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ଆଜି ଗୁରୁତର ଅବସ୍ଥାରେ ଭୁବନେଶ୍ବର ଆପଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନବ ଦାସଙ୍କୁ ଭେଟିଥିଲେ। ସେଠାରେ ନିଜେ ସ୍ଥିତି ଅନୁଧ୍ୟାନ କରିଥିଲେ। ଡାକ୍ତରଙ୍କ ସହ ଆଲୋଚନା ବେଳେ କହିଥିଲେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସର୍ବୋତ୍ତମ ଚିକିତ୍ସା ଦିଅନ୍ତୁ।