ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ: ଆଦାନୀ ବିଶ୍ୱ ଧନୀ ତାଲିକାର ଟପ୍‌ ୧୦ରୁ ଆଉଟ୍‌…

add-all

ନୂଆଦିଲ୍ଲୀ : ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗର ଖୁଲାସା ପରେ ଭାରତର ୧ନଂ ଧନୀ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ଆଦାନୀ ଗ୍ରୁପ୍‌ ଲୋକଙ୍କୁ ମିଛ କହି ନିଜ ଶେୟାର ମୂଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା ହିଣ୍ଡେନବର୍ଗ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟକୁ ଆଦାନୀ ଗ୍ରୁପ୍‌ ବିଭ୍ରାନ୍ତୀକର କହିଥିଲେ ମଧ୍ୟ ଏହାର ଶେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।
ଏକଦା ବିଶ୍ୱ ଧନୀ ତାଲିକାର ୩ନଂ ସ୍ଥାନରେ ଥିବା ଗୌତମ ଆଦାନୀ ରିପୋର୍ଟ ପ୍ରକାଶ ପାଇବା ପରେ ୭ନଂକୁ ଖସିଥିଲେ। ଆଜି ସ୍ଥିତି ଆହୁରି ଖରାପ ହେବାରୁ ସେ ବିଶ୍ୱ ଧନୀ ତାଲିକାର ଟପ୍‌ ୧୦ରୁ ବିଦା ହୋଇଛନ୍ତି। ଏହାର ଅର୍ଥ ଆଦାନୀ ଗ୍ରୁପ ଓ ଗୌତମ ଆଦାନୀଙ୍କ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ସେହିପରି କମ୍ପାନୀର ଶେୟାର ମୂଲ୍ୟ ହ୍ରାସ ପାଇବାରୁ ନିବେଶକମାନେ କ୍ଷତି ସହିବାରେ ଲାଗିଛନ୍ତି।
ମଙ୍ଗଳବାର ସକାଳୁ ଆଦାନୀ ଗ୍ରୁପ୍‌ର ଅଧିକାଂଶ କମ୍ପାନୀର ଶେୟାର ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଥିଲା। କ୍ରମାଗତ ୪ର୍ଥ ଦିନ ପାଇଁ ଏପରି ଘଟିଛି। ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ତା’ର ରିସର୍ଚ୍ଚ ରିପୋର୍ଟ ସାର୍ବଜନୀନ କରିଥିଲା। ଯେଉଁଦିନ ଆଦାନୀ ଇଣ୍ଟରପ୍ରାଇଜେସ ୨୦,୦୦୦ କୋଟି ଟଙ୍କାର ଶେୟାର ବିକିବାକୁ ନିଷ୍ପତ୍ତି ନେଇଥିଲା, ସେହିଦିନ ରିପୋର୍ଟ ସାମ୍ନାକୁ ଆସିଥିଲା।
ରିପୋର୍ଟ ସାମ୍ନାକୁ ଆସିବା ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ୪ର୍ଥ ଦିନରେ ଆଦାନୀ ଟୋଟାଲ ଗ୍ୟାସ ଟ୍ୟାଙ୍କର ଶେୟାର ମୂଲ୍ୟ ୧୦%, ଆଦାନୀ ଗ୍ରୀନ ଏନର୍ଜିର ଶେୟାର ମୂଲ୍ୟ ୯.୬୦%, ଆଦାନୀ ଟ୍ରାନ୍ସମିଶନର ଶେୟାର ମୂଲ୍ୟ ୮.୬୨%, ଆଦାନୀ ୱିଲମରର ଶେୟାର ମୂଲ୍ୟ ୫%, ଆଦାନୀ ପାୱାରର ଶେୟାର ମୂଲ୍ୟ ୪.୯୮%, ଏନଡିଟିଭିର ଶେୟାର ମୂଲ୍ୟ ୪.୯୮% ଓ ଆଦାନୀ ପୋର୍ଟସର ଶେୟାର ମୂଲ୍ୟ ବିଏସ୍‌ଇରେ ୧.୪୫% ହ୍ରାସ ପାଇଛି।
ତେବେ ଆଦାନୀ ଏଣ୍ଟରପ୍ରାଇଜେସର ଶେୟାର ମୂଲ୍ୟ ୫.୨୬%, ଅମ୍ବୁଜା ସିମେଣ୍ଟର ଶେୟାର ମୂଲ୍ୟ ୫.୨୫% ଓ ଏସିସିର ଶେୟାର ମୂଲ୍ୟ ୨.୯୧% ବଢ଼ିଛି। ଏଏଆଇସି ଷ୍ଟକ ମଙ୍ଗଳବାର ସକାଳେ ୦.୮୨% ହ୍ରାସ ପାଇଥିବା ବେଳେ ପିଏନବି ୩.୭୪% ବଢ଼ିଥିଲା।

ad-week
Leave A Reply

Your email address will not be published.