ସ୍କୁଲ ପୋଷାକ ପିନ୍ଧି ବିଧାନସଭା ଆସିଲେ ବିଧାୟକ…

Independence

ପୁଡୁଚେରି,୪।୨: ପୁଡୁଚେରିକୁ ରାଜ୍ୟ ମାନ୍ୟତା ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇବାକୁ ସରକାର ରାଜି ହେଉ ନ ଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଡିଏମ୍‌କେ ଏବଂ କଂଗ୍ରେସ ବିଧାୟକମାନେ ସ୍କୁଲ ପୋଷାକ ପିନ୍ଧି ସାଇକେଲରେ ବିଧାନସଭା ଆସିଥିଲେ। ଶୁକ୍ରବାର ଏଭଳି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। ସରକାର ତୁରନ୍ତ ରାଜ୍ୟ ମାନ୍ୟତା ଦାବିରେ ଗୃହରେ ପ୍ରସ୍ତାବ ଆଣିବା ସହ ଏହାକୁ ଗୃହୀତ କରାନ୍ତୁ ବୋଲି ବିରୋଧୀ ସଦସ୍ୟମାନେ ଦାବି କରିଥିଲେ।

ପ୍ରସ୍ତାବ ଉପରେ ଆଲୋଚନା କରି ଗୃହୀତ କରାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିରୋଧୀ ଦଳ ନେତା ଆର୍‌. ଶିବ କହିଥିଲେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ଅସୁବିଧା କଥା ଦର୍ଶାଇ ରାଜ୍ୟ ମାନ୍ୟତା ଜରୁରୀ ବୋଲି କହୁଛନ୍ତି। ଅନ୍ୟପକ୍ଷେ ରାଜ୍ୟ ହୋଇଥିଲେ ଯେଉଁ ସୁବିଧା ମିଳିଥାନ୍ତା, ଏବେ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ସେହିସବୁ ସୁବିଧା ପାଉଛି ବୋଲି ଉପରାଜ୍ୟପାଳ କହୁଛନ୍ତି। କେଉଁଟା ସତ ତାହା ଗୃହରେ ଆଲୋଚନା ମାଧ୍ୟମରେ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା କହିଥିଲେ। ପ୍ରଶାସନ ଏବଂ ଅମଲାମାନଙ୍କ ହାତରେ ପ୍ରକୃତ କ୍ଷମତା ରହିଛି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ବିନା ଜ୍ଞାତସାରରେ ଅନେକ ନିଷ୍ପତ୍ତି ନେଉଛନ୍ତି। ଏପରିକି ପୁଡୁଚେରିର ସାଧାରଣ ସେବା ଅଧିକାରୀମାନଙ୍କୁ ବଦଳି କରିବା କ୍ଷମତା ନିର୍ବାଚିତ ସରକାରଙ୍କର ନାହିଁ ବୋଲି ଡିଏମ୍‌କେ ବିଧାୟକମାନେ କହିଥିଲେ।

ad-week
Leave A Reply

Your email address will not be published.