
ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି। ଏନେଇ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି।
ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ବପୂର୍ଣ୍ଣ ସାମରିକସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କହିଛି।
ତେଣୁ ଗତ ଶନିବାର ବିଳମ୍ବିତ ରାତିରେ ଆମେରିକା ଭର୍ଜିନିଆସ୍ଥିତ ଲ୍ୟାଙ୍ଗ୍ଲି ଏୟାର୍ ଫୋର୍ସ ବେସ୍ରୁ ମାତ୍ର ଗୋଟିଏ ‘ଏଫ୍-୨୨’ ଲଢୁଆ ବିମାନ ଉକ୍ତ ବେଲୁନ୍କୁ ଗୋଟିଏ ‘ଏମ୍-୯ଏକ୍ସ୍ ସୁପର୍ସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଅଟଲାଣ୍ଟିକ ମହାସାଗରରେ ଖସାଇ ଦେଇଥିଲା।
ଏଥିସହିତ ଏହି ବେଲୁନର ଭଗ୍ନାଂଶଗୁଡ଼ିକ ଜବତ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ବେଲୁନ ଖସିବା ପରେ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଏହି ଘଟଣାକୁ ନେଇ ଚୀନ ପ୍ରତିକ୍ରିୟା ଦେଇଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ବେଲୁନକୁ ଏଭଳି ଖସାଇବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି, ‘ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଆମେ ଅସନ୍ତୋଷ ବ୍ୟକ୍ତ କରୁଛୁ।’
ଏଥିସହିତ ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ଧମକ ଦେଇ କହିଛି, ‘ବେଲୁନକୁ ଟାର୍ଗେଟ କରି ଆମେରିକା ଆନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି। ଏହି ଘଟଣାକୁ ନେଇ ଆମେ ନିଶ୍ଚିତ ଭାବେ ପ୍ରତିକ୍ରିୟା ଦେବୁ। ଏହି ଅଧିକାର ବି ଆମେ ନିଜ ପାଖରେ ସୁନିଶ୍ଚିତ କରି ରଖିଛୁ।’