
ଡୋରାଲ୍ (ଫ୍ଲୋରିଡା): ଲାଟିନ୍ ଆମେରିକାର ବୃହତ୍ତମ ଦେଶ ବ୍ରାଜିଲ୍ ଏବଂ ତା’ର ୨୧୪ ନିୟୁତ ଜନତାଙ୍କ ଉପରେ ରାଷ୍ଟ୍ରପତିତ୍ବ କରୁଥିବା ଜାଇଲ୍ ବୋଲ୍ସୋନାରୋ ସମ୍ପ୍ରତି ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ଗୋଟାଏ କ୍ଷୁଦ୍ର ନଗରୀରେ ରହି ‘ଫାଷ୍ଟ୍-ଫୁଡ୍’ ରେସ୍ତୋରାଁରେ ଏକାକୀ ଭୋଜନ କରୁଛନ୍ତି।
ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ପ୍ରତିଦ୍ବନ୍ଦ୍ବୀ ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ବାଙ୍କଠାରୁ ଖୁବ୍ କମ୍ ଭୋଟ୍ରେ ପରାସ୍ତ ହେବା ପରେ ୬୭ ବର୍ଷିୟ ଜାଇର୍ ବଲ୍ସୋନାରୋ ଶରଣାର୍ଥୀ ଭାବେ ଡିସେମ୍ବର ଶେଷ ଆଡ଼କୁ ଆମେରିକାରେ ପହଞ୍ଚିଥିଲେ।
ଏକଦା ରାଷ୍ଟ୍ରପତି ପ୍ରାସାଦରେ ବାସ କରୁଥିବା ବଲ୍ସୋନାରୋ ଏବେ ଡିଜ୍ନି ୱାର୍ଲଡ୍ ରିଜର୍ଟ ନିକଟରେ ପ୍ରାୟ ଏକ ପ୍ରକାରର ଦିଶୁଥିବା ଗୋଟାଏ ଛୋଟ ‘କମ୍ୟୁନିଟି’ରେ ଜୀବନଯାପନ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସମ୍ପ୍ରତି ସେ ଅବସରପ୍ରାପ୍ତ ପେସାଦାର ବ୍ରାଜିଲୀୟ ‘ଏମ୍ଏମ୍ଏ ଫାଇଟର୍’ ତଥା ‘ୟୁଏଫ୍ସି’ ଚାମ୍ପିଅନ୍ ଜୋସ୍ ଆଲ୍ଡୋଙ୍କ ଘରେ ରହୁଛନ୍ତି।
ସେଠାରେ ରହିବାର ପ୍ରଥମ ୬ ସପ୍ତାହରେ ସେ ସ୍ଥାନୀୟ ସୁପର୍ମାର୍କେଟ୍କୁ ଯାଇ ବୁଲାବୁଲି କରିବା ଏବଂ ‘କେଏଫ୍ସି’ ଫାଷ୍ଟ୍-ଫୁଡ୍ ରେସ୍ତୋରାଁରେ ଏକାକୀ କୁକୁଡ଼ା ମାଂସ ଭଜା ଖାଉଥିବା ଫଟୋରେ ଦେଖାଯାଉଛି।
କିନ୍ତୁ, ଗତ ଶୁକ୍ରବାର ଦିନ ମିଆମି ନିଟକ ଡୋରାଲ୍ ନଗରୀରେ ଥିବା ‘ଟ୍ରମ୍ପ୍ ନ୍ୟାସ୍ନାଲ୍ ହୋଟେଲ୍’ରେ ଆମେରିକୀୟ ରକ୍ଷଣଶୀଳ ସଂଗଠନ ‘ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ ୟୁଏସ୍ଏ’ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବଲ୍ସୋନାରୋ ସମବେତ ହୋଇଥିବା ୪୦୦ ସମର୍ଥକଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ଟ୍ରମ୍ପ୍ ନିଜେ କୌଣସି ଭୂମିକା ଗ୍ରହଣ କରିଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ।