ଥ୍ୟାଙ୍କ୍‌ ୟୁ, ଇଣ୍ଡିଆ: ଭୂମିକମ୍ପ ରିଲିଫ୍‌ ପାଇଁ କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ…

add-all

ନୂଆଦିଲ୍ଲୀ: ଭୂମିକମ୍ପ ପ୍ରପୀଡ଼ିତ ତାଙ୍କ ଦେଶକୁ ରିଲିଫ୍‌ ସାମଗ୍ରୀ ପଠାଇଥିବାରୁ ଆଜି ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍‌ ସୁନେଲ୍‌ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ସୁନେଲ୍‌ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍‌ ଜରୁରୀକାଳୀନ ସହାୟତା ତୁର୍କୀ ଯାଉଛି। ଏହି ସହାୟତା ସାମଗ୍ରୀଗୁଡ଼ିକୁ ତୁର୍କୀ ଏୟାର୍‌ଲାଇନ୍‌ ଦୈନିକ ମାଗଣାରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ନେଇ ଯାଉଛି।
ଥ୍ୟାଙ୍କ୍‌ ୟୁ ଇଣ୍ଡିଆ! ଅଗଣିତ ଭୂମିକମ୍ପ-ପ୍ରପୀଡ଼ିତଙ୍କ ପାଇଁ ପ୍ରତିଟି ତମ୍ବୁ, ପ୍ରତିଟି କମ୍ବଳ ଅଥବା ‘ସ୍ଲିପିଙ୍ଗ୍‌ ବ୍ୟାଗ୍‌’ର ଗୁରୁତ୍ବ ରହିଛି।
ଉଲ୍ଲେଖଯୋଗ୍ୟ, ୨୩ ଟନ୍‌ ରିଲିଫ୍‌ ସାମଗ୍ରୀ ନେଇ ରବିବାର ଦିନ ୭ମ ‘ଅପରେସନ୍‌ ଦୋସ୍ତ୍‌’ ବିମାନ ଭୂମିକମ୍ପ ପ୍ରପୀଡ଼ିତ ସିରିୟାରେ ପହଞ୍ଚିଥିଲା। ଡାମାସ୍କସ୍‌ ବିମାନ ବନ୍ଦରରେ ସ୍ଥାନୀୟ ପ୍ରଶାସନ ଏବଂ ପରିବେଶ ଉପମନ୍ତ୍ରୀ ମୌତାଜ୍‌ ଦୌଜାଇ ଉକ୍ତ ରିଲିଫ୍‌ ସାମଗ୍ରୀ ଗ୍ରହଣ କରିଥିଲେ।
ଗତ ସପ୍ତାହରେ ରାଷ୍ଟ୍ରଦୂତ ସୁନେଲ୍‌ କହିଥିଲେ ଯେ, ‘ଅପରେସନ୍‌ ଦୋସ୍ତ୍‌’ ଭାରତ ଓ ତୁର୍କୀର ବନ୍ଧୁତ୍ବର ସଙ୍କେତ। ଆମେ ବନ୍ଧୁ ବୋଲି ପ୍ରମାଣ ହୋଇସାରିଛି। ଆମେ ଆମ ସମ୍ପର୍କକୁ ଆହୁରି ନିବିଡ଼ କରିବା।
ସଦ୍ୟତମ ସୂଚନା ଅନୁସାରେ, ଗତ ସପ୍ତାହରେ ସଂଘଠିତ ଭୟାବହ ଭୂମିକମ୍ପ ଯୋଗୁଁ ତୁର୍କୀରେ ୨୯,୬୦୫ଜଣ ଏବଂ ସିରିୟାରେ ୩,୫୦୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ଏପର୍ଯ୍ୟନ୍ତ ଜଣାପଡ଼ିଛି। କୋଠାବାଡ଼ିର ଭଗ୍ନସ୍ତୂପ ଭିତରେ ଲୋକେ ପୋତି ହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ୧୯୩୯ ପରେ ତୁର୍କୀରେ ସଂଘଠିତ ଏହି ଭୂମିକମ୍ପ ହେଉଛି ସବୁଠୁ ଭୟାବହ ଭୂମିକମ୍ପ।

ad-week
Leave A Reply

Your email address will not be published.