ଦ୍ବିତୀୟ ଦିନ ‘ବିବିସି’ ଅଫିସ୍‌ରେ ଆୟକର ଚଢ଼ଉ; ଘରେ କାମ କରିବାକୁ କର୍ମଚାରୀଙ୍କୁ କହିଲା ‘ବିବିସି’…

add-all

ନୂଆଦିଲ୍ଲୀ: ଆୟକର ଅଧିକାରୀମାନେ ଆଜି ଦ୍ବିତୀୟ ଦିନରେ ବି ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ତଲାସ ଜାରି ରଖିଥିବାରୁ ପ୍ରସାରଣ ବିଭାଗକୁ ଛାଡ଼ି ବାକି ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ‘ବିବିସି’ ଇ-ମେଲ୍‌ କରି କହିଛି।
ସମସ୍ତ କର୍ମଚାରୀଙ୍କୁ ପଠାଇଥିବା ଇ-ମେଲ୍‌ରେ ‘ବ୍ରିଟିସ୍‌ ବ୍ରଡ୍‌କାଷ୍ଟିଙ୍ଗ୍‌ କର୍ପୋରେସନ୍‌’ କହିଛି, ଯଦି ବ୍ୟକ୍ତିଗତ ଆୟ ବିଷୟରେ ପଚରାଯାଏ ତା’ହେଲେ କର୍ମଚାରୀମାନେ ଉତ୍ତର ନ ଦେଲେ ଚଳିବ। କିନ୍ତୁ, କର୍ମଚାରୀମାନେ ବେତନ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଉଚିତ।
ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ଆୟକର ଅଧିକାରୀମାନଙ୍କୁ ସହଯୋଗ କରିବା ଲାଗି ‘ବିବିସି’ ତା’ର କର୍ମଚାରୀଙ୍କୁ ପରାମର୍ଶ ଦେଇଛି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ର ଭୟବହ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବାଦୀୟ ବୃତ୍ତଚିତ୍ର ପ୍ରସାରଣ କରିବାର କେତେ ସପ୍ତାହ ପରେ ଭାରତୀୟ ଆୟକର ଅଧିକାରୀମାନେ ଦେଶରେ ଥିବା ‘ବିବିସି’ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ଚଢ଼ଉ କରିଥିଲେ।
ଉପରୋକ୍ତ ଚଢ଼ଉ ଓ ତଲାସ ସନ୍ଦେହ ସୃଷ୍ଟି କରୁଥିବା ବ‌େଳେ ଯୁକ୍ତରାଷ୍ଟ୍ର ଆମେରିକା କହିଛି ଯେ, ତଲାସ ସଂକ୍ରାନ୍ତରେ ସେ ଅବଗତ ଥିଲେ ବି କୌଣସି ଟିପ୍ପଣୀ ଦେବା ଅବସ୍ଥାରେ ନାହିଁ।
ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ବିଶ୍ବବ୍ୟାପୀ ଅବାଧ ସାମ୍ବାଦିକତା ପ୍ରତି ଆମର ସମର୍ଥନ ରହିଛି। ସମଗ୍ର ବିଶ୍ବରେ ଗଣତନ୍ତ୍ରକୁ ସୁଦୃଢ଼ କରୁଥିବା ମତବ୍ୟକ୍ତ ଅଧିକାର ଏବଂ ଧର୍ମ ବା ବିଶ୍ବାସ ଅଧିକାରର ଗୁରୁତ୍ବ ଉପରେ ଆମେ ପ୍ରାଧାନ୍ୟ ଦେବୁ। ଏହା ଏ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିଛି। ଏହା ଭାରତର ଗଣତନ୍ତ୍ରକୁ ବି ସୁଦୃଢ଼ କରିଛି।
କିନ୍ତୁ, ଏ ସଂକ୍ରାନ୍ତରେ ଇଂଲଣ୍ଡ୍‌ ଔପଚାରିକ ଭାବେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ। ବିଶେଷସୂତ୍ରରୁ ଜଣାପଡ଼ିଛି ମଙ୍ଗଳବାର ସକାଳୁ ତଲାସ ଜାରି ରଖିଥିବା ଟିକସ ଅଧିକାରୀମାନେ ଆଜି ଆକାଉଣ୍ଟ୍‌ ଉପରେ ଧ୍ୟାନ ନିବେଶ କରି ‘ବିବିସି’ର ପଦସ୍ଥ ପରିଚାଳକମାନଙ୍କୁ ପଚରାଉଚରା କରିବେ।

ad-week
Leave A Reply

Your email address will not be published.