ସେନାର ନାମ ଓ ସଙ୍କେତ କିଣିବାକୁ ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଛି: ଟିମ୍‌ ଠାକ୍‌ରେର ଅଭିଯୋଗ

add-all

ମୁମ୍ବାଇ: ‘ଶିବସେନା’ ପାର୍ଟିର ନାମ ଓ ତା’ର ସଙ୍କେତ ‘ଧନୁଶର’ କିଣିବା ଲାଗି ୨୦୦୦ କୋଟି ଟଙ୍କାର ଚୁକ୍ତି ବା ରାଜିନାମା ହୋଇଥିବା କଥା ଆଜି ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ରାଉତ ଦାବି କରିଛନ୍ତି, ୨୦୦୦ କୋଟି ଟଙ୍କା ହେଉଛି ପ୍ରାରମ୍ଭିକ ମୂଲ୍ୟ। ଏକଥା ସମ୍ପୂର୍ଣ୍ଣ ସତ। ଶାସକ ଗୋଷ୍ଠୀ ସହିତ ଘନିଷ୍ଠ ଥିବା ଜଣେ ବିଲ୍‌ଡର୍‌ ତାଙ୍କୁ ଏ କଥା କହିଛନ୍ତି ବୋଲି ସେ କହିଛନ୍ତି।

ଏହି ଦାବିର ପ୍ରମାଣ ଅଛି ଏବଂ ଖୁବ୍‌ ଶୀଘ୍ର ତାହା ସେୟାର୍‌ କରାଯିବ ବୋଲି ମଧ୍ୟ ରାଉତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ଭାରତର ନିର୍ବାଚନ କମିସନ୍‌ ‘ପ୍ରକୃତ ଶିବସେନା’ ବୋଲି ଯେଭଳି ସ୍ବୀକୃତି ଦେଲେ ତାହା ବିଚାର ନୁହେଁ, ‘ବ୍ୟବସାୟ’।

ଏଥିପାଇଁ ଏପର୍ଯ୍ୟନ୍ତ ୨୦୦୦ କୋଟି ଟଙ୍କା କାରବାର ‌ହୋଇଛି। ଏହା ମୋର ପ୍ରାଥମିକ ଆକଳନ। ଏହା ହେଉଛି ମୋର ‘ଏଫ୍‌ଆଇଆର୍‌’ (ପ୍ରାଥମିକ ସୂଚନା)। ଏହି ନିଷ୍ପତ୍ତିକୁ ଖରିଦ କରାଯାଇଛି ବୋଲି ସେ ଦାବି କରିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ସରକାର, ନେତା ଏବଂ ଧୂର୍ତ୍ତ ବ୍ୟକ୍ତିମାନେ ଜଣେ ବିଧାୟକଙ୍କୁ ଖରିଦ କରିବାକୁ ୫୦ କୋଟି ଟଙ୍କା, ଜଣେ ସାଂସଦଙ୍କୁ ଖରିଦ କରିବା ଲାଗି ୧୦୦ କୋଟି ଟଙ୍କା ଏବଂ ଆମ କାଉନ୍‌ସିଲର୍‌ ଏବଂ ଶାଖା ପ୍ରମୁଖଙ୍କୁ ଖରିଦ କରିବା ଲାଗି ୧ କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେଣୁ, ଦଳର ନାମ ଓ ସଙ୍କେତ ଖରିଦ କରିବାକୁ କେତେ ଟଙ୍କା ଲଗାଇଥିବେ ଆପଣ ଅନୁମାନ କରି ପାରୁଥିବେ। ମୋ ଜାଣିବାରେ ଏଥିପାଇଁ ୨୦୦୦ କୋଟି ଟଙ୍କାର କାରବାର ହୋଇଛି।

କିନ୍ତୁ, ଏହି ଅଭିଯୋଗକୁ ଖଣ୍ଡନ କରି ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକ ସଦା ସର୍ବଣକର୍‌ ପଚାରିଛନ୍ତି, ସଞ୍ଜୟ ରାଉତ କ’ଣ କ୍ୟାସିୟର୍‌?

ad-week
Leave A Reply

Your email address will not be published.