ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ବିଜୟ; ଦ୍ରୁତତମ ୨୫୦୦୦ ଆନ୍ତର୍ଜାତିକ ରନ୍‌, ସଚିନ୍‌ଙ୍କ କୀର୍ତ୍ତିମାନକୁ ଟପିଲେ କୋହଲି

youtube

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର ସମସ୍ତ ଫର୍ମାଟକୁ ମିଶାଇ ୧୦୦ତମ ବିଜୟ ହାସଲ କରିଛି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ରୋହିତ‌ ସେନା ୬ ୱିକେଟ୍‌ରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୦୪ ଟେଷ୍ଟରୁ ୩୨ ବିଜୟ, ୧୪୩ ଦିନିକିଆରୁ ୫୩ ବିଜୟ ଏବଂ ୨୬‌ ଟ୍ବେଣ୍ଟି-୨୦ରୁ ୧୫ ବିଜୟ ସହ ଶତକ ପୂର୍ଣ୍ଣ କରିଛି। ଭାରତ ବିପକ୍ଷରେ କିନ୍ତୁ ଅଷ୍ଟ୍ରେଲିଅା ସବୁ ଫର୍ମାଟ୍‌ରୁ ୧୩୩ ମ୍ୟାଚ୍‌ ଜିତିଛି। ରବିବାର ରବୀନ୍ଦ୍ର ଜାଦେଜାଙ୍କ ପ୍ରଶଂସନୀୟ ମ୍ୟାଚ୍‌ ବୋଲିଂ ଫିଗର୍‌ (୧୦/୧୧୦) ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା। ଦ୍ବିତୀୟ ପାଳିରେ ଜାଦେଜା ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ୭/୪୨ ପାଇବାରୁ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ମାତ୍ର ୧୧୩ ରନ୍‌ରେ ସଫା ହୋଇଯାଇଥିଲା। ଭାରତ ସମ୍ମୁଖରେ ୧୧୫ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ବର ପୂଜାରା, ଶ୍ରୀକର ଭରତଙ୍କ ଛୋଟ ଛୋଟ ଉପ‌ଯୋଗୀ ପାଳି ବଳରେ ଭାରତ ୨୬.୪ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହିତ ଭାରତ ମଧ୍ୟ ୪ ମ୍ୟାଚ୍‌ ଶୃଙ୍ଖଳାରେ ୨-୦ ଅପରାଜେୟ ଅଗ୍ରଣୀ ନେଇ ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିଛି। ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ଫାଇନାଲ୍‌ ଲାଗି ଭାରତ ମଧ୍ୟ ସମ୍ଭାବନା ସୁଷ୍ଟି କରିଛି। ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ତୃତୀୟ ଟେଷ୍ଟ୍ ଇନ୍ଦୋରରେ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ।
ଅନ୍ୟପକ୍ଷରେ ଭାରତର ତାରକା ବ୍ୟାଟର୍‌ ବିରାଟ କୋହଲି ରବିବାର ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ୍‌ ଦ୍ବିତୀୟ ପାଳିରେ ୨୦ ରନ୍‌ରେ ଆଉଟ୍‌ ହେବା ପୂର୍ବରୁ କୋହଲି ୨୫,୦୦୦ ଅନ୍ତର୍ଜାତୀୟ ରନ୍‌ ପୂରଣ କରି ସଚିନ୍‌ଙ୍କ ନାମରେ ଥିବା ଦ୍ରୁତତମ (କମ୍‌ ପାଳି ଭିତ୍ତିରେ) ରେକର୍ଡକୁ ପଛରେ ପକାଇ ଦେଇଥିଲେ। ଏହି ମାଇଲଖୁଣ୍ଟ ଛୁଇଁବାରେ କୋହଲି ମଧ୍ୟ ବିଶ୍ବର ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। କୋହଲି ୪୯୨ ମ୍ୟାଚ୍‌ ଓ ୫୪୯ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଥିଲା ବେଳେ ସଚିନ୍‌ଙ୍କୁ ୫୭୭ ପାଳି ଖେଳିବାକୁ ପଡ଼ିଥିଲା। ତେବେ ୨୫,୦୦୦ରୁ ଅଧିକ ଆନ୍ତର୍ଜାତିକ ରନ୍‌ କରିବାରେ ସଚିନ ତେନ୍ଦୁଲକର (୩୪,୪୩୭ ରନ୍‌)ଙ୍କ ପରେ କୋହଲି ଦ୍ବିତୀୟ ଭାରତୀୟ ଏବଂ ବିଶ୍ବର ଷଷ୍ଠ ବ୍ୟାଟର୍‌ ହୋଇଛନ୍ତି। ଦିଲ୍ଲୀ ଟେଷ୍ଟ୍‌ ପୂର୍ବରୁ ମାଇଲଖୁଣ୍ଟ ଲାଗି କୋହଲିଙ୍କୁ ୫୨ ରନ୍‌ର ଆବଶ୍ୟକ ଥିଲା ବେଳେ ସେ ପ୍ରଥମ ପାଳିରେ ୪୪ ଓ ଦ୍ବିତୀୟ ପାଳିରେ ୨୦ ରନ୍‌ କରି ନିଜ ଅନ୍ତର୍ଜାତୀୟ ସ୍କୋର୍‌ ସଂଖ୍ୟାକୁ ୨୫,୦୧୨ରେ ପହଞ୍ଚାଇଥିଲେ। କମ୍‌ ପାଳିରେ ୨୫୦୦୦ ଆନ୍ତର୍ଜାତିକ ରନ୍‌ କରିବା ତାଲିକାରେ ସଚିନ୍‌ ଓ କୋହଲିଙ୍କ ପଛକୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୫୮୮), ଦକ୍ଷିଣ ଅଫ୍ରିକାର ଜ୍ୟାକ୍‌ କାଲିସ (୫୯୪), ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୬୦୮) ଓ ମାହେଲା ଜୟବର୍ଦ୍ଧନେ (୭୦୧) ରହିଛନ୍ତି। କୋହଲି ୧୦୬ ଟେଷ୍ଟ୍‌ରେ ୮୧୯୫, ୨୭୧ ଦିନିକିଆରେ ୧୨୮୦୯ ଓ ୧୧୫ ଟ୍ବେଣ୍ଟି-୨୦ରେ ୪୦୦୮ ରନ୍‌ କରିଛନ୍ତି।

Leave A Reply

Your email address will not be published.