୬.୨ ତୀବ୍ରତାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ…

add-all

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂକମ୍ପର ଭୟଙ୍କର ଚିତ୍ର ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିଦିନ ଝଟକା ଅନୁଭବ କରୁଛନ୍ତି। ଗୁରୁବାର ଚାଇନା ଓ ତାଜକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଜି ଇଣ୍ଡୋନେସିଆବାସୀ ଭୂକମ୍ପ ଝଟକାରେ ଥରିଛନ୍ତି। ପ୍ରତିଦିନ ଭୂକମ୍ପର ଖବର ଆସୁଥିବାରୁ ଲୋକମାନେ ପ୍ରକୃତିର ଏପରି ଭୟଙ୍କର ରୂପ ଦେଖି ଚକିତ ହେବାରେ ଲାଗିଛନ୍ତି।
ଆଜି ଇଣ୍ଡୋନେସିଆର ହାଲମାହେରା ସହରର ଉତ୍ତର ଭାଗରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଏହାର ଅର୍ଥ ଏହି ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।
ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି(ଏନଏସ୍‌ସି) କହିଛି ଯେ ଭୂକମ୍ପଟି ଭୂପୃଷ୍ଠରୁ ୯୯ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଭାରତୀୟ ସମୟ ରାତି ୧ଟା ୩୨ ମିନିଟ ୪୭ ସେକେଣ୍ଡରେ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହାଲମାହେରା ଠାରେ ରହିଛି। ଏହା ଏକ ବଡ଼ଧରରଣ ଭୂକମ୍ପ ହୋଇଥିଲା ହେଁ କେନ୍ଦ୍ର ପକ୍ଷରୁ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇନି।
ଅନ୍ୟପକ୍ଷରେ ଝଟକା ପରେ ଇଣ୍ଡୋନେସିଆ ସରକାର କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନକୁ ସରକାରୀ ଅଧିକାରୀମାନଙ୍କୁ ପଠାଯାଇଛି। ସେହିପରି ଝଟକା ପରେ ଲୋକମାନେ ପ୍ରାଣ ବିକଳରେ ଖୋଲା ସ୍ଥାନକୁ ଚାଲି ଆସିଥିବା ଖବର ମିଳିଛି।
ଇଣ୍ଡୋନେସିଆ ହେଉଛି ଗୋଟିଏ ଭୂକମ୍ପ ପ୍ରବଣ ଅଞ୍ଚଳ। ଏହା ପୂର୍ବରୁ ଅନେକ ଥର ଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୧୫ରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ଥରିଥିଲା। ଏଥିରେ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଅନେକ ଘର ମଧ୍ୟ ଭୁଶୁଡ଼ି ପଡ଼ିଥିଲା।

ad-week
Leave A Reply

Your email address will not be published.