ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

add-all

ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କମଳା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ଯଥା କ୍ଷୀର ପ୍ୟାକେଟ, ଜରି ଓ ଅଦରକାରୀ ପ୍ଲାଷ୍ଟିକରୁ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଟୋକେଇ ଓ ମୋବାଇଲ ଷ୍ଟାଣ୍ଡ ତିଆରି କରୁଛନ୍ତି। ଏହା ତାଙ୍କ ପାଇଁ ସ୍ୱଚ୍ଛତା ସହ ରୋଜଗାରର ମାଧ୍ୟମ ପାଲଟିଛି ବୋଲି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି।

କମଳା ପଲିଥିନରେ ପେଡି, ପାଚିଆ, ଡାଲା, ବିଛଣା, ପାପୋଛ ସମେତ ବଡି ଓ ପାମ୍ପଡ ଶୁଖାଇବା ପାଇଁ ଝାମ୍ପି ମଧ୍ୟ ନିର୍ମାଣ କରିଥାନ୍ତି। ଏଥିସହ ମନିପର୍ସ ଓ କାନ୍ଥରେ ଟଙ୍ଗାଇବା ପାଇଁ ବିଭିନ୍ନ ସାମଗ୍ରୀ ନିର୍ମାଣ କରୁଛନ୍ତି। ତାଙ୍କ ଠାରୁ ପ୍ରେରଣା ପାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଅଦରକାରୀ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍‌ରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି।

ସୂଚନା ଥାଉକି, କିଛିଦିନ ତଳେ ପ୍ଲାଷ୍ଟିକ ବୋତଲ ରିସାଇକେଲ କରାଯାଇ ତିଆରି ହୋଇଥିବା ଜ୍ୟାକେଟକୁ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦକୁ ଆସିଥିଲେ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା।

ଏବେ କେନ୍ଦ୍ରାପଡ଼ାର କମଳା ମହାରଣା ଓ ଖାଇରାବାଦ ଅଞ୍ଚଳର ଥାନ ପତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅବ୍ୟବହୃତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ବିଭିନ୍ନ ଘର ସାଜସଜା ସାମଗ୍ରୀ ତିଆରି କରିବା ଆଲୋଚନାର ବିଷୟ ହୋଇଛି। ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ପରେ ଆଜି କମଳାଙ୍କ ଘରେ ଉତ୍ସବର ମହୋଲ ଦେଖିବାକୁ ମିଳିଥିଲା। ବହୁ ଲୋକ ତାଙ୍କ ଘରେ ପ୍ରହଞ୍ଚି ଶୁଭେଚ୍ଛା ଜଣାଇବା ସହ ଉପହାରରେ ମିଠା ଦେଇଥିଲେ। କମଳା ମହାରଣା ସମସ୍ତଙ୍କୁ ମିଠା ଖୁଆଇ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ।

ଘର କାମ ପରେ ଅଯଥା ଗପରେ ସମୟ ନଷ୍ଟ ନକରି ଏହି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଅଦରକାରୀ ପଲିଥିନିକୁ ନେଇ ବିଭିନ୍ନ ଉପକରଣ ତିଆରି କରୁଛନ୍ତି।

ଏନେଇ କମଳା କହିଛନ୍ତି, ପ୍ରଧାମନ୍ତ୍ରୀଙ୍କ ପ୍ରଶଂସାକୁ ନେଇ ସେ ଖୁବ୍ ଖୁସୀ। ବର୍ଜ୍ୟବସ୍ତୁର ଜିନିଷ ତିଆରି ପାଇଁ ପ୍ରଥମେ ଏଣେ ତେଣେ ପଡ଼ିଥିବା ପଲିଥିନକୁ ସଂଗ୍ରହ କରି ସେ ସବୁକୁ ପରିଷ୍କାର ପରିଚ୍ଛନ୍ନ କରିଥାନ୍ତି। ପରେ ସେ ସବୁ ପଲିଥିନକୁ ସରୁ ସରୁ ଆକାରରେ କାଟି ସେଥିରେ ବିଭିନ୍ନ ସାମଗ୍ରୀ ବୁଣିବା ଆରମ୍ଭ କରିଥିଲେ। ତେବେ ସାମଗ୍ରୀ ତିଆରି ବେଳେ ପଲିଥିନ ସହିତ ବେରୁହା ମିସାଇବାକୁ ପଡ଼ୁଛି। ବୁଣିବା ପାଇ ପ୍ଲାଷ୍ଟିକ ଡୋର ମଧ୍ୟ ବ୍ୟବହାର ହେଉଛି। ଏହି ସବୁ ପଲିଥିନରେ ପେଡ଼ି, ପାଚିଆ, ଡାଲା, ବିଛଣା, ବଡି ଓ ପାମ୍ପଡ ସୁଖାଇବା ପାଇ ଝାମ୍ପି, ମନିପର୍ସ, ପାପୋଛା ପ୍ରଭୃତି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ପ୍ରାୟ ୧୨ଜଣ ମହିଳା ମିଶି ଏକ ସ୍ଵଂୟ ସହାୟକ ଗୋଷ୍ଠୀ ଗଠନ କରି ନିଜ ଏକାଠି କାର୍ଯ୍ୟ କରୁଛନ୍ତି। ଶସ୍ତା ହୋଇଥିବାରୁ ଏସବୁକୁ କିଣି ନେବା ପାଇଁ ମଧ୍ୟ ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି।

ସେପଟେ କମଳାଙ୍କ ଠାରୁ ପ୍ରେରଣା ତାଙ୍କ ଗାଁର ଅନେକ ମହିଳା ଏବେ ପଲିଥିନରେ ବିଭିନ୍ନ ସାମଗ୍ରୀ ନିର୍ମାଣ କରୁଛନ୍ତି। ନିଜର ଏହି ସବୁ ସାମଗ୍ରୀ ପଲିଶ୍ରୀ ମେଳା ଏବଂ ବିଭିନ୍ନ ପ୍ରଦର୍ଶନୀକୁ ନେଇ ବିକ୍ରି କରୁଛନ୍ତି। ଏହା ଦ୍ୱାରା ଭଲ ଦୁଇ ପଇସା ରୋଜଗାର ମଧ୍ୟ ହେଉଛି।

ad-week
Leave A Reply

Your email address will not be published.