କୋର୍ଟରେ ହାଜର ହେବେ ସିସୋଦିଆ, ଗିରଫଦାରୀକୁ ଆପ୍‌ର ବିରୋଧ…

add-all

ନୂଆଦିଲ୍ଲୀ : ଗତକାଲି ଗିରଫ ପରେ ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ତାଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯିବ। ଏହି ସମୟରେ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ। ତାଙ୍କୁ ପଚରାଉଚରା କରିବା ପାଇଁ କୋର୍ଟକୁ ଅଧିକ ଦିନ ସମୟ ମାଗିବ ସିବିଆଇ। ତେବେ ଏହା ପୂର୍ବରୁ ଏକ ଡାକ୍ତରୀ ଟିମ୍ ଆଜି ସିସୋଦିଆଙ୍କ ମେଡିକାଲ ଯାଞ୍ଚ କରିଛି।
ଅବକାରୀ ନୀତି ଦୁର୍ନୀତି ମାମଲାରେ ରବିବାର ସିବିଆଇରେ ହାଜର ହୋଇଥିଲେ ସିସୋଦିଆ। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି ବୋଲି କହିଛି। ସିବିଆଇ ଏହି ମାମଲାରେ ପୂର୍ବରୁ ଗତବର୍ଷ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ଯେଉଁ ପ୍ରଶ୍ନ କରିଥିଲା ସେହି ସମାନ ପ୍ରଶ୍ନ ଗତକାଲି ମଧ୍ୟ କରିଥିଲା। ହେଲେ ସିସୋଦିଆ ଏହାର ଉତ୍ତର ଏଡାଇ ଦେଇଥିଲେ ବୋଲି ସୂଚନା ରହିଛି। ସେହିପରି ସିସୋଦିଆ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପ୍ରମାଣ ଯୋଗାଡ଼ କରାଯାଇଛି। ତେଣୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।
ସେପଟେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରିଛି ଆପ୍। ଏହାକୁ ନେଇ ଆଜି ସାରା ଦେଶରେ ଆମ୍ ଆଦମୀ ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିବ। ଏହି ଗିରଫଦାରୀ ପଛରେ ବିଜେପିର ହାତ ଥିବା ନେଇ ଆପ୍ ଅଭିଯୋଗ ଆଣିଛି।
ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଠନ କରୁଥିବା ବିଶ୍ୱର ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀଙ୍କୁ ବିଜେପି ମିଛ ମାମଲାରେ ଗିରଫ କରିଛି ବୋଲି ଆମ୍ ଆଦମୀ ପାର୍ଟି ଟ୍ୱିଟ୍ କରିଛି। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘କେନ୍ଦ୍ର ଭଦ୍ର ଲୋକଙ୍କୁ ଜାଲରେ ଫସାଉଛି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କିନ୍ତୁ ଯେଉଁମାନେ ଦୁର୍ନୀତିରେ ଜଡିତ ସେମାନଙ୍କୁ ବିଜେପି ସୁରକ୍ଷା ଦେଉଛି।’

ad-week
Leave A Reply

Your email address will not be published.