ଅଗ୍ନିପଥ ଯୋଜନାକୁ ଦିଲ୍ଲୀ ହାଇକୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ…

add-all

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ବିଜୟ। ଅଗ୍ନିପଥ ଯୋଜନାକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ। ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି। ଏଥିସହ ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିମ୍ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସୁବ୍ରମଣ୍ୟମ୍ ପ୍ରାସଦଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ଏହାପୂର୍ବରୁ ଗତବର୍ଷ ଡିସେମ୍ବର ୧୫ ତାରିଖରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ତେବେ ଏହି ଶୁଣାଣି ବେଳେ ଅଗ୍ନିପଥ ଯୋଜନାକୁ ସମର୍ଥନ କରିଥିଲେ କେନ୍ଦ୍ର ସରକାର।
ସଶସ୍ତ୍ର ବାହିନୀରେ ଯୁବପିଢ଼ିଙ୍କ ନିଯୁକ୍ତି ପାଇଁ ଗତ ବର୍ଷ ଜୁନ୍ ୧୪ ରେ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାର ନିୟମ ଅନୁଯାୟୀ, ୧୭ରୁ ୨୧ ବର୍ଷ ବୟସର ଲୋକମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ସେମାନଙ୍କ କାର୍ଯ୍ୟକାଳ ଚାରି ବର୍ଷ ରହିବ। ଏହି ଯୋଜନା ଅଧୀନରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ କରାଯିବ।
ଅଗ୍ନିପଥ ଆରମ୍ଭ ହେବା ପରେ ଅନେକ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରାଯାଇଥିଲା। ପରେ, ସରକାର ୨୦୨୨ ମସିହାରେ ନିଯୁକ୍ତି ପାଇଁ ବୟସ ସୀମାକୁ ବୃଦ୍ଧି କରି ୨୩ ବର୍ଷ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ସମେତ ଅନେକ ହାଇକୋର୍ଟରେ ଆବେଦନ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.