ଅବକାରୀ ଦୁର୍ନୀତି ମାମଲାରେ ଗିରଫ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ…

add-all

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆବେଦନର ଶୁଣାଣି ଆଜି ସନ୍ଧ୍ୟାରେ ଦ୍ୱିତୀୟ ଥର ପାଇଁ କରି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟକୁ ଯିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି।
ସିସୋଦିଆଙ୍କ ଓକିଲ ଅଭିଷେକ ସିଂଘଭି କହିଛନ୍ତି ଯେ ସିବିଆଇ ଚାର୍ଜସିଟ୍‌ରେ ସିସୋଦିଆଙ୍କ ନାମ ନଥିବାରୁ ତାଙ୍କ ଗିରଫଦାରୀ ବେଆଇନ ଏବଂ ସେ ତଦନ୍ତରେ ସହଯୋଗ କରୁ ନଥିବା ନେଇ ସିବିଆଇ ଯେଉଁ ଅଭିଯୋଗ କରିଛି ତାହା ଏକ ଦୁର୍ବଳ ବାହାନା।
ଏହାର ଜବାବରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଏହି ମାମଲାରେ ହାଇକୋର୍ଟକୁ ଯାଆନ୍ତୁ। ଆମର ଦ୍ୱାର ଖୋଲା ଅଛି, କିନ୍ତୁ ବର୍ତ୍ତମାନ ଯେଉଁ ସ୍ତରରେ ମାମଲା ରହିଛି ଆମେ ତତ୍କାଳ ଏହାର ଶୁଣାଣି କରିବାକୁ ପ୍ରସ୍ତୁତ ନାହୁଁ।
ଉଲ୍ଲେଖଯୋଗ୍ୟ, ପ୍ରଥମେ ଆଜି ଅପରାହ୍ଣରେ ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ସିସୋଦିଆଙ୍କୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଏବଂ ଏଫ୍‌ଆଇଆର୍‌ ରଦ୍ଦ ପାଇଁ ଆବେଦନ କରିବା ପାଇଁ ସିଆରପିସି ଅନୁଯାୟୀ ଆବେଦନ କରିବାକୁ କହିଥିଲେ। ତେବେ ସିସୋଦିଆଙ୍କ ଓକିଲ ଅଭିଷେକ ସିଂଘଭି ବିନୋଦ ଦୁଆ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଦର୍ଶାଇ ସିସୋଦିଆ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଥିଲେ। ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ କୋର୍ଟ ଆଜି ସନ୍ଧ୍ୟାରେ ହିଁ ଏହି ମାମଲାର ଶୁଣାଣି କରିବେ।
ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ଗିରଫଦାରୀ ଓ ସିବିଆଇ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ପୂର୍ବରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ। ଏହାକୁ ବିଚାର ପାଇଁ ଗ୍ରହଣ କରି ଆଜି ଅପରାହ୍ନରେ ପ୍ରଧାନ ବିଚାରପତି ମାମଲାର ପ୍ରଥମ ଶୁଣାଣି କରିଥିଲେ।

ad-week
Leave A Reply

Your email address will not be published.