ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ ମନ୍ତ୍ରୀ ପାଇଁ ସୁପାରିଶ କଲେ କେଜ୍ରିୱାଲ

add-all

ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମୀ ପାର୍ଟି(ଆପ) ସରକାରଙ୍କୁ ଲାଗିଛି ଜୋରଦାର ଝଟ୍‌କା। ଦୁର୍ନୀତି ଜାଲରେ ଦଳର ଦୁଇ ହେବିୱେଟ ନେତା ଛନ୍ଦି ହେବା ପରେ ଚିନ୍ତା ବଢ଼ିଛି। ମୁଖ୍ୟତ ସମ୍ପୃକ୍ତ ୨ ନେତା ତଥା ଆପ୍‌ ସରକାରଙ୍କର ଦୁଇ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆ ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ଥାନରେ ଦୁଇ ବିଧାୟକଙ୍କୁ ମନ୍ତ୍ରୀ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପାରିଶ କରିଛନ୍ତି। ସମ୍ପୃକ୍ତ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଆପ ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ନିକଟକୁ କେଜ୍ରିୱାଲ ନାମ ପଠାଇଛନ୍ତି। ଦିଲ୍ଲୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ସତ୍ୟେନ୍ଦ୍ର ଜୈନଙ୍କ ହାତରେ ଥିବା ବେଳେ ଶିକ୍ଷା ବିଭାଗ ମନିଷ ସିସୋଦିଆଙ୍କ ହାତରେ ଥିଲା।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଏବେ ସିସୋଦିଆଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ମନିଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିଥିଲା। ଗତକାଲି ଦିଲ୍ଲୀ ଉପମୁଖମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଇସ୍ତଫା ଦେଇଛନ୍ତି। ସେହିପରି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗ୍ରହଣ କରିଥିବା ସୂଚନା ମିଳିଛି।

ମନୀଷ ଓ ସତ୍ୟେନ୍ଦ୍ର ଉଭୟ ଏବେ ଦୁର୍ନୀତି ମାମଲାରେ ବିଚାରବିଭାଗୀୟ ହାଜତରେ ରହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଅନିୟମିତତା ଅଭିଯୋଗରେ ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିଥିଲା। ଜେରା ସମୟରେ ସିସୋଦିଆଙ୍କ ଉତ୍ତର ସନ୍ତୋଷଜନକ ନଥିବା ସିବିଆଇ କହିଥିଲା। ବିଜେପି ତରଫରୁ ଲଗାତର ଭାବେ ଏହି ଦୁଇଜଣମନ୍ତ୍ରୀ ମନୀଷ ଓ ସତ୍ୟେନ୍ଦ୍ରଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରାଯାଉଥିଲା। ଏବେ ବିରୋଧୀଙ୍କ ଦାବିକୁ ନଜରରେ ରଖି ଉଭୟ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

ad-week
Leave A Reply

Your email address will not be published.