
ପ୍ରୟାଗରାଜ: ଉମେଶ ପାଲ୍ ହତ୍ୟା ମାମଲାର ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଆତିକ୍ ଅହମଦ୍ଙ୍କର ଜଣେ ସହଯୋଗୀଙ୍କ ଘରକୁ ଆଜି ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ଭାଙ୍ଗିବା ଆରମ୍ଭ କରିଛି। ଆତିକ୍ଙ୍କ ଭାଇ ଅଶରଫ୍ଙ୍କ ନାଁ ବି ଏହି ମାମଲାରେ ଥିବା ଜଣାପଡ଼ିଛି।
ପ୍ରୟାଗରାଜର କରେଲି ଥାନା ଅନ୍ତର୍ଗତ ଚାକିଆରେ ଅବସ୍ଥିତ ଉକ୍ତ ଘର ଖଲିଦ୍ ଜଫର୍ଙ୍କର ବୋଲି କୁହାଯାଉଛି। ବେଆଇନ ଭାବେ ଏହି ଘର ନିର୍ମାଣ କରାଯାଇଛି ବୋଲି ପୂର୍ବରୁ ନୋଟିସ୍ ଦିଆଯାଇଥିଲା। ଏହି ଘରର ମୂଲ୍ୟ ୨.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ଉମେଶ ପାଲ୍ ହେଉଛନ୍ତି ୨୦୦୫ରେ ସଂଗଠିତ ‘ବିଏସ୍ପି’ ବିଧାୟକ ରାଜୁ ପାଲ୍ଙ୍କ ହତ୍ୟାକାଣ୍ଡର ଜଣେ ପ୍ରମୁଖ ସାକ୍ଷୀ। ଫେବ୍ରୁଆରି ୨୪ ତାରିଖ ଦିନ ପ୍ରୟାଗରାଜସ୍ଥିତ ତାଙ୍କ ଘର ବାହାରେ ତାଙ୍କୁ ସର୍ବସମ୍ମୁଖରେ ଗୁଳି ମାରି ହତ୍ୟା କରାଯାଇଥିଲା।
ବିଧାୟକ ରାଜୁ ପାଲ୍ଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜେଲ୍ରେ ଥିବା ‘ସମାଜବାଦୀ ପାର୍ଟି’ର ପୂର୍ବତନ ସାଂସଦ ଆତିକ୍ ଅହମଦ୍। ସମ୍ପ୍ରତି ଗୁଜରାଟର ସାବରମତୀ ଜେଲ୍ରେ ଥିବା ଆତିକ୍ ଉମେଶଙ୍କୁ ହତ୍ୟା କରିବା ଲାଗି ଜେଳ୍ରେ ଷଡ଼ଯନ୍ତ୍ କରିଥିଲା।
ସେହିପରି, ଉମେଶ ପାଲ୍ଙ୍କ ହତ୍ୟା କାଣ୍ଡରେ ଅଂଶ ଗ୍ରହଣ କରିଥିବା ଅର୍ବାଜ୍ଙ୍କୁ ସୋମବାର ଦିନ ସ୍ଥାନୀୟ ପୁଲିସ ଏନ୍କାଉଣ୍ଟର୍ କରି ହତ୍ୟା କରିଥିଲେ। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଆତତାୟୀମାନେ ଯେଉଁ କାର୍ ଯୋଗେ ଘଟଣାସ୍ଥଳରେ ପହଞ୍ଚି ଉମେଶ ପାଲ୍ଙ୍କୁ ଗୁଳି ମାରି ହତ୍ୟା କରି ଥିଲେ ସେ କାର୍କୁ ସଲ୍ଲାପୁର ଅଞ୍ଚଳ ନିବାସୀ ଅର୍ବାଜ୍ ଚଳାଉଥିଲେ।
ଏହାଛଡ଼ା, ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ସଦାକତ୍ ଖାଁଙ୍କୁ ଗିରଫ କରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।