ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାର ଅଭିଯୁକ୍ତ ୟୁବଟ୍ୟୁବରଙ୍କୁ ସର୍ତ୍ତମୂଳକ ଜାମିନ

add-all

କଟକ: ପୁରୀ ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାରେ ଅଭିଯୁକ୍ତ ୟୁବଟ୍ୟୁବର ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିମେଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ଭାଇରାଲ୍ ଘଟଣାରେ ୟୁଵଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ନାଁରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଗତ ଜାନୁଆରୀ ୧୯ ତାରିଖରେ ଗିରଫ କରିଥିଲା। କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ନାମକ ଯୁବକ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଗତ ନଭେମ୍ବର ୧୯ ତାରିଖରେ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ସ୍ପଷ୍ଟ ଭିଡିଓ ଚିତ୍ର ଅପଲୋଡ୍‌ କରିଥିଲେ।

ଏହି ଭିଡିଓ ଉପରେ ୟୁନିଫାଏଡ୍‌ ଅନିମେଶ ଓ ୟୁନିଫାଏଡ୍‌ ମୁଭିର ୱାଟର ମାର୍କ ରହିଥିଲା। ଏହି ଭିଡିଓରେ ନୀଳଚକ୍ର ବାନା ବାନ୍ଧିବା ସହ ଅଁଳାବେଢ଼ାର ଉପର ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ଉପରୁ ଏତେ ନିକଟରୁ ଉତ୍ତୋଳନ କରାଯାଇଛି ଯେ ଶ୍ରୀମନ୍ଦିର ଅଁଳା ବେଢ଼ା ଉପର ଓ ଶ୍ରୀମନ୍ଦିର ଭିତର ବେଢ଼ାର ଚିତ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି। ବଡ଼କଥା ହେଉଛି, ଶ୍ରୀମନ୍ଦିର ଉପର ଓ ଏହାର ଚାରିପାଖ ନୋ ପ୍ଲାଇଙ୍ଗ ଜୋନ୍‌। କୌଣସି ହେଲିକପ୍ଟର କି ଡ୍ରୋନ୍‌ ଏହା ଉପରେ ଉଡ଼ିପାରିବନାହିଁ।

ତଥାପି କିଏ ଓ କାହା ଅନୁମତିରେ ଏହି ଭିଡିଓ ଓ ଫଟୋ ଉତ୍ତୋଳନ କଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଖୋଳତାଡ଼ ପରେ ଅନିମେଶ ୟୁନିଫାଏଡ୍ ମୁଭିଜ୍‌ ବ୍ୟାନରରେ କ୍ଷୁଦ୍ର ଚଳଚିତ୍ର ଓ ୱେବ ସିରିଜ୍‌ ତିଆରି କରୁଥିବା ଜଣାପଡ଼ିଛି। ଏହି ମାମଲାରେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆଗୁଆ ଜାମିନକୁ ହାଇକୋର୍ଟ ଖାରଜ କରିଥିଲେ। ଏହାପରେ ଅନିମେଶଙ୍କୁ ପୁରୀ ପୋଲିସ ଗିରଫ କରିଥିଲା। ଆଜି ନିୟମିତ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.