ମଝି ଆକାଶରେ ପୁଣି ଯାତ୍ରୀଙ୍କ ହଙ୍ଗାମା : ସିଗାରେଟ୍ ପିଇଲେ, କ୍ରୁ ମେମ୍ବରଙ୍କୁ ପିଟିଲେ

add-all

ଥମୁନି ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା ଘଟଣା। ପୁଣି ମଝି ଆକାଶରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ। ଟଏଲେଟ୍ ଭିତରେ ପିଇଲେ ସିଗାରେଟ୍। ମନା କରିବା ପରେ ଦେଖାଇଲେ ବନ୍ଧୁକ ଓ କ୍ରୁ ସଦସ୍ୟଙ୍କୁ କଲେ ମାର୍‌ପିଟ୍। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଏୟାର ଇଣ୍ଡିଆର ଲଣ୍ଡନ-ମୁମ୍ବାଇ ବିମାନରୁ। 

ଲଣ୍ଡନରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନ ଶୌଚାଳୟ ଭିତରେ ଜଣେ ୩୭ ବର୍ଷୀୟ ବ୍ୟକ୍ତି ସିଗାରେଟ୍ ପିଉଥିବା ବେଳେ ଧରାପଡିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ରତ୍ନାକରଣ କରୁଣକାନ୍ତ ଦ୍ୱିବେଦୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ମୁତାବକ, ଏହି ୩୭ ବର୍ଷୀୟ ବ୍ୟକ୍ତି ଜଣକ ସିଗାରେଟ୍ ପିଉଥିବା ବେଳେ ଧରାପଡିବା ପରେ ରାଗି ଯାଇଥିଲେ। କ୍ରୁ ସଦସ୍ୟମାନେ ତାଙ୍କୁ ସିଗାରେଟ୍ ପିଇବାକୁ ମନା କରିଥିଲେ। କିନ୍ତୁ ସେ କିଛି ଶୁଣି ନଥିଲେ। ଏହାପରେ ସେ ପାଟି ତୁଣ୍ଡ କରିବାକୁ ଲାଗିଥିଲେ। ଏପରିକି ବନ୍ଧୁକ ମଧ୍ୟ ଦେଖାଇ କ୍ରୁ ସଦସ୍ୟ ଓ ସହ ଯାତ୍ରୀଙ୍କୁ ମାରପିଟ୍ କରିଥିଲେ। ପରେ ତାଙ୍କୁ କାବୁ କରି ଏକ ସିଟ୍‌ରେ ବସାଇ ଦିଆଯାଇଥିଲା। କିନ୍ତୁ ସେ ସିଟରେ ବସିବାକୁ ମନା କରି ବିମାନର ଏମରଜେନ୍ସି ଗେଟ୍ ଖୋଲିବାକୁ ଉଦ୍ୟମ କରିଥିଲେ। ଏହା ପରେ ବିମାନର ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ଅଭିଯୁକ୍ତଙ୍କ ହାତ ଓ ଗୋଡ଼ ବାନ୍ଧି ତାଙ୍କୁ ସିଟ୍‌ରେ ବସିବାକୁ ବାଧ୍ୟ କରାଯାଇଥିଲା।ଫ୍ଲାଇଟ୍ ଲ୍ୟାଣ୍ଡ ହେବା ପରେ ଉକ୍ତ ଅଭିଯୁକ୍ତଙ୍କୁ ସାହାରା ପୁଲିସ ଗିରଫ କରିଛି। ପୁଲିସ କହିବା ମୁତାବକ, ଉକ୍ତ ଅଭିଯୁକ୍ତ ଜଣକ ଭାରତୀୟ କିନ୍ତୁ ସେ ଆମେରିକାର ନାଗରିକ ଅଟନ୍ତି। ତାଙ୍କ ନିକଟରୁ ଆମେରିକାର ପାସପୋର୍ଟ ମିଳିଛି। ସେ ନିଶାଶକ୍ତ ଅବସ୍ଥାରେ ଥିଲେ ନା ତାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା, ଏହା ଜାଣିବା ପାଇଁ ତାଙ୍କର ଡାକ୍ତରୀ ଚିକିତ୍ସା ଲାଗି ନମୂନା ସଂଗ୍ରହ କରି ଲ୍ୟାବ୍‌କୁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ad-week
Leave A Reply

Your email address will not be published.