ଧର୍ମପୀଠ ଉପରେ ଆକ୍ରମଣକୁ ବରଦାସ୍ତ କରିବ ନାହିଁ ଅଷ୍ଟ୍ରେଲିଆ: ଆନ୍ଥୋନି ଆଲ୍‌ବନିଜ୍‌…

add-all

ନୂଆଦିଲ୍ଲୀ: ଧର୍ମପୀଠ ଉପରେ ହେଉଥିବା ଆକ୍ରମଣକୁ ଅଷ୍ଟ୍ରେଲିଆ ବରଦାସ୍ତ କରିବ ନାହିଁ ଏବଂ ଏଥିପାଇଁ ଯିଏ ଦାୟୀ ସେମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା ଶନିବାର ଦିନ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବନିଜ୍‌ କହିଛନ୍ତି।

ଅଳ୍ପ ଦିନ ପୂର୍ବେ ଅଷ୍ଟ୍ରେଲିଆରେ ଥିବା ହିନ୍ଦୁ ମନ୍ଦିର ଉପରେ ହେଉଥିବା ଆକ୍ରମଣ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବ୍‌ନିଜ୍‌ ନିକଟରେ ଚିନ୍ତାବ୍ୟକ୍ତ କରିଥିଲେ।

ଆଲ୍‌ବନିଜ୍‌ କହିଛନ୍ତି, ଅଷ୍ଟ୍ରେଲିଆ ହେଉଛି ଜନସାଧାରଣଙ୍କ ବିଶ୍ବାସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ଦେଶ। ହିନ୍ଦୁମାନଙ୍କର ମନ୍ଦିର ହେଉ, ମସ୍‌ଜିଦ୍ ହେଉ, ସିନାଗୌଗ୍‌ କିଂବା ଗୀର୍ଜା ହେଉ, ଅଷ୍ଟ୍ରେଲିଆ କୌଣସି ଧାର୍ମିକ ସୌଧ ଉପରେ ହେଉଥିବା ଆକ୍ରମକୁ ବରଦାସ୍ତ କରିବ ନାହିଁ।

୩ ଦିନିଆ ଭାରତ ଗସ୍ତ ଶେଷ କରିବା ବ‌େଳେ ଦଳେ ଅଷ୍ଟ୍ରେଲୀୟ ସାମ୍ବାଦିକମାନଙ୍କୁ ଆଲ୍‌ବନିଜ୍‌ କହିଲେ ଯେ, ଧାର୍ମିକ ସୌଧ ଉପରେ ଆକ୍ରମଣ ଭଳି ଘଟଣାରେ ଲିପ୍ତ ଥିବା ବ୍ୟକ୍ତିମାନେ ଯେଭଳି ବିହିତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତି, ସେ ବିଷୟରେ ଦେଶର ନିରାପତ୍ତା ଏଜେନ୍‌ସିମାନେ ସୁନିଶ୍ଚିତ କରିବେ।

ଏହାଛଡ଼ା, ଗଣମାଧ୍ୟମକୁ ଆଲ୍‌ବନିଜ୍‌ କହିଛନ୍ତି ଯେ, ତାଙ୍କର ଭାରତ ଗସ୍ତ ଅତ୍ୟନ୍ତ ସଫଳ ହୋଇଛି। ଭାରତ ସହିତ ଅଷ୍ଟ୍ରେଲିଆ ତା’ର ସାଂସ୍କୃତିକ, ଆର୍ଥିକ ଏବଂ ପ୍ରତିରକ୍ଷା ସମ୍ପର୍କ ସୁଦୃଢ଼ କରୁଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।

ad-week
Leave A Reply

Your email address will not be published.