‘ନାଟୁ ନାଟୁ’ର ଲୋକପ୍ରିୟତା ବିଶ୍ବବିଦିତ: ପ୍ରଧାନମନ୍ତ୍ରୀ ମୋଦୀ

add-all

ନୂଆଦିଲ୍ଲୀ: ‘ଶ୍ରେଷ୍ଠ ମୌଳିକ ଗୀତ’ ବର୍ଗରେ ଏକାଡେମି ପୁରସ୍କାର (ଓସ୍କାର୍‌) ପାଇଥିବା ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତର ‌ଜନପ୍ରିୟତା ବିଶ୍ବବିଦିତ ବୋଲି ଆଜି ଟୁଇଟ୍‌ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।
ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି: ‘ନାଟୁ ନାଟୁ’ର ଜନପ୍ରିୟତା ବିଶ୍ବବିଦିତ। ଏ ଗୀତଟି କାଳକାଳକୁ ସ୍ମରଣୀୟ ହୋଇ ରହିବ। ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ଏମ୍‌. ଏମ୍‌. କୀରାୱାଣି, ଗୀତିକାର ବୋଷ ଏବଂ ସମଗ୍ର ଟିମ୍‌କୁ ଅଭିନନ୍ଦନ। ଭାରତ ହର୍ଷୋତ୍‌ଫୁଲ୍ଲିତ ଓ ଗୌରବାନ୍ବିତ।
ସୂଚନାଯୋଗ୍ୟ, ‘ଓସ୍କାର୍‌’କୁ ମିଶାଇ ତେଲୁଗୁ ଚଳଚ୍ଚିତ୍ର ‘ରୁଧିରମ୍‌ ରଣମ୍‌ ରୌଦ୍ରମ୍‌’ର (ଆର୍‌ଆର୍‌ଆର୍‌) ‘ନାଟୁ ନାଟୁ’ ଗୀତକୁ ସମୁଦାୟ ୩ଟି ଆନ୍ତର୍ଜାତିକ ସ୍ବୀକୃତି ମିଳିଛି। ଚନ୍ଦ୍ରବୋଷଙ୍କଦ୍ବାରା ଲିଖିତ ଓ ଏମ୍.ଏମ୍‌. କୀରାୱାଣିଙ୍କଦ୍ବାରା ସ୍ବରବଦ୍ଧ ହୋଇଥିବା ଏହି ଗୀତ ପୂର୍ବରୁ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌’ ଓ ‘କ୍ରିଟିକ୍‌ ଚଏସ୍‌ ଆୱାର୍ଡ’ ପାଇଥିଲା।
ଉଲ୍ଲେଖଯୋଗ୍ୟ, ‘ଆର୍‌ଆର୍‌ଆର୍‌’ ହେଉଛି ପ୍ରାକ୍‌-ସ୍ବାଧୀନତା ଅମଳର ଏକ କାଳ୍ପନିକ କାହାଣୀ ଆଧାରିତ ଚଳଚ୍ଚିତ୍ର। ଏଥିରେ ୧୯୨୦ ଦଶକର ଦୁଇ ଭାରତୀୟ ବିପ୍ଳବୀ ଆଲ୍ଲୁରି ସୀତାରାମା ରାଜୁ (ରାମ ଚରଣ) ଏବଂ କୋମରାମ ଭୀମ (ଜୁନିୟର୍‌ ଏନ୍‌ଟିଆର୍‌) ବୃତ୍ତାନ୍ତ ବର୍ଣ୍ଣିତ।
‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ଟିମ୍‌କୁ ଅଭିନନ୍ଦନ ଜଣାଇ ଆଉ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଏ ସମ୍ମାନ ନିମନ୍ତେ ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ର ସମଗ୍ର ଟିମ୍‌କୁ ଅଭିନନ୍ଦନ। ସେମାନଙ୍କର କାର୍ଯ୍ୟ ସତତ ବିକାଶ ଓ ପ୍ରକୃତି ସଙ୍ଗେ ସହାବସ୍ଥାନ ଉପରେ ଆଶ୍ଚର୍ଯ୍ୟଜନକ ଭାବ‌େ ଗୁରୁତ୍ବାରୋପ କରୁଛି।

ad-week
Leave A Reply

Your email address will not be published.